ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ବଡ଼ଦାଣ୍ଡ, ଦ୍ରୁତଗତିରେ ଆଗେଇ ଚାଲିଛି ରଥ କାର୍ଯ୍ୟ

ଓଏଲ୍ ବ୍ୟୁରୋ: ଆଉ ଦିନ କେଇଟା ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରଥଯାତ୍ରା ପାଇଁ ଚଳଚଂଚଳ ରଥଖଳା। ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥର ପ୍ରଭାରେ ରୂପ ଖୋଦେଇ ଚାଲିଥିବା ବେଳେ ତିନି ରଥର ଘୋଡ଼ା, ସାରଥି, ରଥର ବାହ୍ୟ ଅଂଶ ସହ ହଂସ ପଟା, ପାର୍ଶ୍ଵ ଦେବାଦେବୀଙ୍କ ରଙ୍ଗ କାର୍ଯ୍ୟ ଆଗେଇ ଚାଲିଛି। ତିନି ରଥର ପୋଟଳ କନା କଟା ହେବା ପରେ ସେଥିରେ ଜରି ଫିତା ସଂଯୋଗ ଜାରି ରହିଥିବା ବେଳେ କମାରଶାଳରେ ପୋଟଳ କଣ୍ଟା ନିର୍ମାଣ ଚାଲିଛି।