ବଢୁଛି ରତ୍ନଭଣ୍ଡାର ଦ୍ୱନ୍ଦ୍ୱ, ଖୁବଶୀଘ୍ର ଆରମ୍ଭ ହୋଇପାରେ ଅଳଙ୍କାର ଗଣତି
ଓଏଲ୍ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏସବୁ ଭିତରେ ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ ବୋଲି ଆଇନ ମନ୍ତ୍ରୀ କହିଥିଲେ।
ଅନ୍ୟପଟେ, ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି। ଯାହାକୁ ନେଇ ଆଶା ଓ ଆଶଙ୍କା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ଚଳିତ ମାସ ୮ ତାରିଖଠାରୁ ୨୭ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୦ ଦିନ ଧରି ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ଗଣତିମଣତି କରାଯାଇପାରେ।
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଚଳିତ ମାସ ୫ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇପାରେ। ତେଣୁ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ୪ ତାରିଖରେ ଓଡ଼ିଶା ଆସୁଥିବା ସୂଚନା ମିଳିବା ପରେ ୫ତାରିଖରେ ବୈଠକ ବସି ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରାଯିବା ସହ ଅଳଙ୍କାର ଗଣତିମଣତି ନେଇ ନିଷ୍ପତ୍ତି ହୋଇପାରେ ବୋଲି ଆଶଙ୍କା ରହିଛି।