ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟିମ୍ ଇଣ୍ଡିଆର ଖେଳାଳି, ସନ୍ଧ୍ୟାରେ ବିଜୟ ଶୋଭାଯାତ୍ରା
ଓଏଲ୍ ବ୍ୟୁରୋ: ବାର୍ବାଡୋସରୁ ଭାରତ ଭାରତ ଫେରିଛନ୍ତି ବିଶ୍ୱ ବିଜେତା ଟିମ୍ ଇଣ୍ଡିଆ। ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶ୍ବ ବିଜେତା ଟିମ୍ର ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଥିଲେ ହଜାର ହଜାର ପ୍ରଶଂସକ। ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଶ୍ବ ବିଜୟୀ ଭାରତୀୟ ଦଳର ସମସ୍ତ ଖେଳାଳି ଓ କୋଚିଂ ଷ୍ଟାଫ୍।
ଏହାପରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ମୁମ୍ବାଇ ଗସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି। ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ। ସେଠାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିବେ।
ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ। ଏହାପୂର୍ବରୁ ୨୦୦୭ରେ ଧୋନୀଙ୍କ ନେତୃତ୍ୱରେ ଟି-୨୦ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ।