Odisha Link
Bridging the Missing Links in Odisha

ରଥଯାତ୍ରାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ନିୟନ୍ତ୍ରଣ କରିବ ଏଆଇ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ।

ଚଳିତବର୍ଷ ରଥଯାତ୍ରାରେ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଲକ୍ଷାଧିକ ଲୋକ ଯେପରି ପୁରୀକୁ ସହଜରେ ଯିବା ଆସିବା କରିପାରିବେ ତାହା ଉପରେ ରେଳବାଇ ଗୁରୁତ୍ୱ ଦେଉଛି। ତେବେ ପ୍ରଥମ ଥର ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ସ୍ୱତନ୍ତ୍ର ଟ୍ରେନ୍‌କୁ ନିୟନ୍ତ୍ରଣ କରିବ। ଏଆଇ ଆଧାରିତ କାର୍ଯ୍ୟଶୀଳ ସିଡ୍ୟୁଲିଂ ସିଷ୍ଟମ୍ ବ୍ୟବହାର ପୂର୍ବକ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ପରିଚାଳନା କରାଯିବ। ଏନେଇ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଚଳିତ ବର୍ଷ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ରଥଯାତ୍ରାରେ ସାମିଲ ହେବାର ସମ୍ଭାବନା ଅଛି। ରେଳବାଇର ଜନୈକ ଅଧିକାରୀଙ୍କ ଅନୁଯାୟୀ ଚଳିତ ବର୍ଷ ବହୁ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ। ପୂର୍ବ ନିର୍ଦ୍ଧାରିତ ଟ୍ରେନ୍ ସହିତ ସ୍ୱତନ୍ତ୍ର ଟ୍ରେନ୍‌ର ପରିଚଳାନା ନିଶ୍ଚିତ ଭାବେ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ। ସୁରକ୍ଷା ସହିତ ଯାତ୍ରୀଙ୍କୁ ସୁବିଧାଜନକ ସେବା ଯୋଗାଇ ଦେବା ଜରୁରୀ। ତେବେ ଏଆଇର ବ୍ୟବହାର ଏହି କାର୍ଯ୍ୟକୁ ଆହ୍ୱାନମୁକ୍ତ କରିବା ପାଇଁ ସମର୍ଥ ହୋଇପାରିବ।

ବିଶେଷକରି ଟ୍ରେନ୍ ଗୁଡିକର ଯିବା ଆସିବା ପାଇଁ ଅନୁମତି ପ୍ରଦାନ ଏବଂ ଯାତ୍ରୀ ସଂଖ୍ୟା ଅଧିକ ଥିବା ରୁଟ୍‌ରେ ନିର୍ଦ୍ଧିଷ୍ଟ ଗନ୍ତବ୍ୟସ୍ଥଳକୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହଜ ହେବ। ରିୟଲ ଟାଇମ୍ ଡାଟା ମ୍ୟାନେଜମେଣ୍ଟ ଜରିଆରେ ଏହି କାର୍ଯ୍ୟ ସମ୍ପାଦନ ବେଶ୍ ସହଜରେ ହୋଇପାରିବ। ରେଳବାଇ ନିଜର ବିଭିନ୍ନ କାର୍ଯ୍ୟରେ ଏଆଇ ଉପଯୋଗ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏହାର ବ୍ୟବହାର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

Leave A Reply

Your email address will not be published.