ଓଡ଼ିଶାର ୨ ସାଂସଦଙ୍କୁ ଗୁରୁ ଦାୟିତ୍ବ

ଓଏଲ୍ ବ୍ୟୁରୋ: ୪୦୦ ପାର ନାରା ଦେଇ ବିଫଳ ହେବା ପରେ ସଙ୍ଗଠନ ସ୍ଥିତିକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି। ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ବିଜୟପାଲ ସିଂ ତୋମାରଙ୍କୁ ଦଳ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ଦେଇଛି। ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
ସେହିପରି ୨ ଓଡ଼ିଆ ସାଂସଦଙ୍କୁ ମଧ୍ୟ ଗୁରୁ ଦାୟିତ୍ବ ମିଳିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ବ ମିଳିଛି। ଅପରାଜିତାଙ୍କୁ କେରଳର ସହପ୍ରଭାରୀ ନିଯୁକ୍ତ କରାଯାଇଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ଅପରାଜିତାଙ୍କୁ ମିଳିଛି ସହପ୍ରଭାରୀ ଦାୟିତ୍ୱ। ସେହିପରି ପୁରୀ ସାଂସଦ
ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ କରାଯାଇଛି। ବି. ମୂରଲୀଧରନଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସହ ସଂଯୋଜକ ଦାୟିତ୍ୱ ମିଳିଛି।
ସୂଚନାଥାଉକି, ଡି. ପୂରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ ଥିଲେ। ପୂରନ୍ଦେଶ୍ୱରୀଙ୍କ ବଦଳରେ ଦଳ ବିଜୟପାଲ ସିଂ ତୋମାରଙ୍କୁ ଦଳ ପ୍ରଭାରୀ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ରାଜ୍ୟର ନିର୍ବାଚନ ସହପ୍ରଭାରୀ ଥିବା ଲତା ଉସେଣ୍ଡିଙ୍କୁ ଦଳ ସହପ୍ରଭାରୀ ଦାୟିତ୍ୱ ଦେଇଛି।