Odisha Link
Bridging the Missing Links in Odisha

ରାତି ପାହିଲେ ରଥଯାତ୍ରା, ବଡ଼ଦାଣ୍ଡରେ ଝାଡ଼ୁ ମାରିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଆସିବେ ଶ୍ରୀଜିଉ। ରଥଯାତ୍ରାର ଦିନକ ପୂର୍ବରୁ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦ। ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ, ୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି। ପୁରୀ ସାଂସଦ ସମ୍ବିତ ପାତ୍ର, ପୁରୀର ପୂର୍ବତନ ବିଧାୟକ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ।

ବଡ଼ଦାଣ୍ଡର ଏହି ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ‌ହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା, ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବଡ଼ଦାଣ୍ଡରୁ ଶରଧାବାଲି ଯାଏ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଶରଧାବାଲିରେ ସଫେଇ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କାଲି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବା ପୂର୍ବରୁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି। ସ୍ବଚ୍ଛତା ଓ ସଚେତନତା ପାଇଁ ଏହି ସଫେଇ କାର୍ଯ୍ୟକ୍ରମର ଗୁରୁତ୍ବ ରହିଛି। ଏହି ଅବସରରେ ସେ ପ୍ଲାଷ୍ଟିକ ଜରି ବ୍ୟବହାରରୁ ନିବୃତ୍ତ ରହିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଏହି ବିରଳ ଘଟଣା ସାରା ବିଶ୍ବରେ ଆଲୋଚନାର ବିଷୟ ହେବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Leave A Reply

Your email address will not be published.