Odisha Link
Bridging the Missing Links in Odisha

ହାଥରସ୍ ଅଘଟଣ: ୬ ଅଧିକାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶରେ ସତସଙ୍ଗବେଳେ ଅଘଟଣ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଠାରେ ସତସଙ୍ଗ ପାଇଁ କିଏ ଅନୁମତି ଦେଲା ? ଏତେ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି କୌଣସି ବ୍ୟବସ୍ଥା ହୋଇନଥିଲା ଏହାକୁ ନେଇ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ହାଥରସ୍‌ ଘଟଣାରେ ଏସ୍ଆଇଟି ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ସତ୍‌ସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ କରାଯାଇଛି। ଅନୁମତିଠୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସତ୍‌ସଙ୍ଗ ସ୍ଥଳରେ ସଠିକ ବ୍ୟବସ୍ଥା କରାଯାଇନଥିବା ମଧ୍ୟ ଉଲ୍ଲେଖ ହୋଇଛି। ଏହି ଘଟଣାରେ ୬ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ହାଥରସ୍‌ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ହାଥରସରେ ଜଗତଗୁରୁ ସାକାର ବିଶ୍ବହରି ଭାଲେ ବାବାଙ୍କ ସତସଙ୍ଗ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଥିଲା। ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୮୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକମାନେ କହିଥିଲେ। ଏହି ହିସାବରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ରାଜ୍ୟର କୋଣ ଅନୁକୋଣରୁ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା। ବାବାଙ୍କ ପ୍ରବଚନ ପରେ ସେ କାରରେ ବସି ଚାଲିଯାଇଥିଲେ। ଏହାପରେ ଶ୍ରଦ୍ଧାଳୁମାନେ ସେ ଆସିଥିବା ରାସ୍ତାରୁ ଧୂଳି ଆଣି ମୁଣ୍ଡରେ ମାରିବାକୁ ଲାଗିଥିଲେ।

ଏହାପରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇ ଧୂଳି ମୁଣ୍ଡରେ ମାରୁଥିବାବେଳେ ଆୟୋଜକ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିଥିଲେ। ମାତ୍ର ଏତେ ମାତ୍ରାରେ ଷ୍ଟାମ୍ପେଡ ହୋଇଥିଲା କି ଲୋକେ କଷ୍ଟରେ ବାହାରିବାକୁ ଲାଗିଥିଲେ। କାଦୁଅଭରା ବିଲ ଦେଇ ଦେଇ ଲୋକେ ଯିବାକୁ ଲାଗିଥିଲେ। ନିଜ ନିଜର ଜୀବନ ବଞ୍ଚାଇ ଗହଳିରେ ଯିବାକୁ ଲାଗିଥିବାବେଳେ ଦଳ ଚକଟାରେ ଶିଶୁ ଏବଂ ମହିଳାଙ୍କ ଜୀବନ ଚାଲି ଯାଇଛି। ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ଦଳା ଚକଟା ମଧ୍ୟରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି।

Leave A Reply

Your email address will not be published.