ଭାସିଗଲା ବସ୍, ୬୦ରୁ ଅଧିକ ଯାତ୍ରୀ ନିଖୋଜ
ଓଏଲ୍ ବ୍ୟୁରୋ: ନେପାଳରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ନେପାଳରେ ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ ନଦୀରେ ୨ଟି ବସ୍ ଭାସିଯାଇଛି। ୨ଟି ବସ୍ରେ ଡ୍ରାଇଭର ସହ ପାଖାପାଖି ୬୩ ଯାତ୍ରୀ ରହିଥିବା ଅନୁମାନ କରାଯାଉଛି। କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଅଘଟଣ ହୋଇଛି। ୨ ବସ୍ର ପତ୍ତା ମୁଳୁନଥିବାବେଳେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ରହିଥିବା ସୂଚନା ରହିଛି।
ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୩ଟାରେ ୨ଟି ବସ୍ ଭାସିଯାଇଥିଲା। ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି ବସ ତ୍ରଶୂଳୀ ନଦୀରେ ଭାସି ଯାଇଛି। ଉଭୟ ବସରେ ଡ୍ରାଇଭରଙ୍କୁ ମିଶାଇ ୬୩ ଜଣ ଥିବା ସୂଚନା ମିଳିଛି। ଗୋଟିଏ ବସରେ ୨୪ ଏବଂ ଅନ୍ୟ ଏକ ବସରେ ୪୧ ଯାତ୍ରୀ ରହିଥିଲେ। ତେବେ ୨ ଜଣ ଯାତ୍ରୀ ବସରୁ ଡେଇଁବାରେ ସଫଳ ହୋଇଛନ୍ତି। ନିଖୋଜ ବସ୍ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। କାଠମାଣ୍ଡୁରୁ ଭରତପୁରକୁ ଯିବାକୁ ଥିବା ବିମାନ ଚଳାଚଳ ବନ୍ଦ ରହିଛି।