Odisha Link
Bridging the Missing Links in Odisha

ଘନଶ୍ୟାମ ପାଣିଗ୍ରାହୀଙ୍କ ଦୁଇଟି ଗଳ୍ପ ପୁସ୍ତକ ଉନ୍ମୋଚିତ

ଓଏଲ୍ ବ୍ୟୁରୋ: ଆମ କାହାଣୀରେ ହିଂସା, ସମସ୍ୟା ଆଉ ନୈରାଶ୍ୟ ନାହିଁ; ବରଂ ଅଛି ଆଶାବାଦ ଓ ସମାଧାନର କଥା। ସେଥିପାଇଁ ଆମ କାହାଣୀ ପାଶ୍ଚାତ୍ୟ ସାହିତ୍ୟଠାରୁ ଭିନ୍ନ। ଅନୁଭବ ଓ ଆବେଗ ଆମ କାହାଣୀର ମୂଳପିଣ୍ଡ ବୋଲି କହିଛନ୍ତି ପ୍ରସିଦ୍ଧ କଥାକାର ଦାଶ ବେନହୁର। ଘନଶ୍ୟାମ ପାଣିଗ୍ରାହୀଙ୍କ ଦୁଇଟି ଗଳ୍ପ ସଂକଳନ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ଭାରତୀୟ ସାହିତ୍ୟରେ କାହାଣୀର ପରମ୍ପରା ବେଶ୍‌ ପ୍ରାଚୀନ। ବେଦ ଓ ପୁରାଣ ଠାରୁ ଆରମ୍ଭ କରି ଶିକ୍ଷଣୀୟ ପଞ୍ଚତନ୍ତ୍ର ଏପରିକି ଭାରତୀୟ ଦର୍ଶନ ବି କାହାଣୀର ଗନ୍ତାଘର।

ବିଶିଷ୍ଟ ସ୍ତମ୍ଭକାର ଓ କଥାଶିଳ୍ପୀ ଅଧ୍ୟାପକ ବିଶ୍ବରଂଜନ କହିଥିଲେ ଯେ ଯେଉଁ କାହାଣୀ ପାଠକକୁ ଭିନ୍ନ ଦୁନିଆକୁ ନେଇଯାଏ ତାହା ସବୁଠୁ ପ୍ରଭାବୀ। ଘନଶ୍ୟାମଙ୍କ ଦୁଇ ଗଳ୍ପ ସଂକଳନ “ମିଛୋଈ ଜେଜୀ ଓ ଅନ୍ୟାନ୍ୟ କାହାଣୀ” ଏବଂ “ଅମୃ୍ତସ୍ୟ ପୁତ୍ରଃ ଓ ଅନ୍ୟାନ୍ୟ କାହାଣୀ” ପଢ଼ିବା ବେଳେ ପାଠକ କାନ୍ଦିବେ, ଆମୋଦିତ ହେବେ, ଭାବପ୍ରବଣ ହେବ ଓ ଚିନ୍ତାଶୀଳ ମଧ୍ୟ ହେବେ। ଘନଶ୍ୟାମଙ୍କ କାହାଣୀ ଚୟନ ବିଚିତ୍ର, ନିଆରା ଓ ଅକଳ୍ପନୀୟ ବୋଲି ଶ୍ରୀ ବିଶ୍ବରଂଜନ ମତ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି କହିଥିଲେ ଯେ ଘନଶ୍ୟାମଙ୍କର ଗାଁ, ମାଟି, ମା’ ଓ ଅତୀତ ସହ ନିବିଡ଼ ସମ୍ପର୍କ ତାଙ୍କ ଗଳ୍ପକୁ ଅଧିକ କମନୀୟ କରିଛି। ୩ ଦଶନ୍ଧି ତଳେ ସେ ଘନଶ୍ୟାମଙ୍କର ଗଳ୍ପଟିଏ ପଢ଼ି କିଭଳି ବିଭୋର ହୋଇଥିଲେ ଓ ଚିଠି ଲେଖିଥିଲେ ସେ ସ୍ମୃତି ରୋମନ୍ଥନ କରିଥିଲେ ଶ୍ରୀ ମହାନ୍ତ

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନାସନାଲ ସଭାକକ୍ଷରେ ଆୟୋଜିତ ଏହି ସଭାରେ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ ଶ୍ରୀ ଘନଶ୍ୟାମ ପାଣିଗ୍ରାହୀ। ଏ ଅବସରରେ ବିଦେଶରେ ଅବସ୍ଥାନ କରୁଥିବା ଲେଖକଙ୍କର ଶୁଭେଚ୍ଛୁ, ପରିବାର ଜନ ଓ ପାଠକମାନେ ଅନ୍‌ଲାଇନ୍‌ରେ ସଭା ସହ ଯୋଡ଼ି ହୋଇଥିଲେ। ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ କବି ପବିତ୍ର ମୋହନ କର।

Leave A Reply

Your email address will not be published.