ଅପେକ୍ଷାରେ ତିନି ରଥ, ରତ୍ନବେଦୀକୁ ବାହୁଡ଼ିବେ ବିଶ୍ଵନିୟନ୍ତା

ଓଏଲ୍ ବ୍ୟୁରୋ: ଅପେକ୍ଷା କରିଛି ବଡଦେଉଳ। ଆଜି ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜୀଉଙ୍କୁ ନେଇ ଆସିବା ପାଇଁ ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ଠିଆ ହୋଇଛି ତିନି ରଥ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ । ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି।
ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି। ପ୍ରାତଃ ୪ଟାରେ ମଙ୍ଗଳଆଳତି, ମଇଲମ ପ୍ରାତଃ ୪ଟା ୧୫, ତଡପଲାଗି ପ୍ରାତଃ ୪ଟା ୩୦, ରୋଷହୋମ ପ୍ରାତଃ ୪ଟା ୩୦, ଅବକାଶ ପ୍ରାତଃ ୫ଟା, ସୂର୍ଯ୍ୟପୂଜା ପ୍ରାତଃ ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦, ବେଶଶେଷ ୫ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ ଟା ୪୫ ଭିତରେ କରାଯାଇଛି ସକାଳ ୭ଟାରୁ ୧୧ଟା ୩୦ ରେ ସେନାପଟା ନୀତି। ଏହାସହ ମଙ୍ଗଳାର୍ପଣ ୧୧ଟା ୪୫ ହୋଇ ଦିବା ୧୨ଟା ରୁ ୨ଟା ୩୦ରେ ହେବ ବାହୁଡା ପହଣ୍ଡି, ଦିବା ଗୋଟାଏ ରୁ ୨ଟା ୩୦ ମଧ୍ୟରେ ବେଶ ଶେଷ ହୋଇ ଦିବା ୨ଟା ୩୦ରୁ ୩ଟା ୩୦ରେ ଛେରାପହଁରା ହେବାର କାର୍ଯ୍ୟକ୍ରମ ରହିଛି।ଏହାପରେ ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ହୋଇ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।