Odisha Link
Bridging the Missing Links in Odisha

ରାଜ୍ୟସଭା ଗଣିତ: ୧୦୧କୁ ଖସିଲା ଏନ୍‌ଡିଏ, ମ୍ୟାଜିକ୍‌ ନମ୍ବର କିଏ ହାସଲ କରିବ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନରେ ମ୍ୟାଜିକ୍‌ ନମ୍ବର ଅତିକ୍ରମ କରିବାରେ ବିଫଳ ହୋଇଥିବା ଭାରତୀୟ ଜନତା ପାର୍ଟିକୁ ଏବେ ଅଡ଼ୁଆ ରାଜ୍ୟସଭା। କାରଣ ରାଜ୍ୟସଭାରେ ବିଜେପିର ୪ ମନୋନୀତ ସଦସ୍ୟଙ୍କ କାର୍ଯ୍ୟକାଳ ଶନିବାର ପୂର୍ଣ୍ଣ ହୋଇଛି। ଯାହାଫଳରେ ରାଜ୍ୟସଭାରେ ବିଜେପିର ସଂଖ୍ୟା ୮୬ରେ ପହଁଞ୍ଚିଥିବା ବେଳେ ଏନଡିଏର ୧୦୧ରେ ପହଁଞ୍ଚିଛି। ଯାହା ରାଜ୍ୟସଭାର ମ୍ୟାଜିକ ନମ୍ବର ତଳେ ରହିଛି।

ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ୪ ସଦସ୍ୟଙ୍କ କାର୍ଯ୍ୟାକାଳ ପୂର୍ଣ୍ଣ ହୋଇଛି। ରାକେଶ ସିହ୍ନା, ରାମ ସକାଲ, ସୋନାଲ ମାନସିଂହ ଓ ମହେଶ ଜେଠମଲାନିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ୧୨ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥାନ୍ତି। ବର୍ତ୍ତମାନ ରାଜ୍ୟସଭାରେ ୧୯ଟି ସିଟ୍‌ ଖାଲି ରହିଛି। ସେମଧ୍ୟରୁ ଆଗାମୀ ଦିନରେ ୧୧ଟି ଆସନ ପାଇଁ ନିର୍ବାଚନ ହୋଇପାରେ। ଜମ୍ମୁ-କଶ୍ମୀର ଓ ମନୋନୀତ ଶ୍ରେଣୀରୁ ୪ ଟି ଲେଖାଏଁ ଖାଲି ପଡ଼ିଥିବା ବେଳେ ଆସାମ, ବିହାର ଓ ମହରାଷ୍ଟ୍ରେ ୨ଟି ଲେଖାଏଁ ରାଜ୍ୟସଭା ସଦସ୍ୟ ପଦ ଖାଲି ପଡ଼ିଛି। ସେହିପରି ହରିୟାଣା, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ତ୍ରିପୁରାରେ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଛି।

ରାଜ୍ୟସଭାର ୧୧ଟି ଆସନରୁ ୧୦ଟି ଆସନ ବିଗତ ଲୋକସଭା ନିର୍ବାଚନରେ ନିର୍ବାଚିତ ସଦସ୍ୟଙ୍କ ପାଇଁ ମନୋନୀତ ହୋଇଛି। ସେହିପରି ଆଉ ଗୋଟିଏ ଆସନ ଭାରତ ରାଷ୍ଟ୍ର ସମିତିଙ୍କ ସଦସ୍ୟ କେଶବ ରାଓଙ୍କ ଇସ୍ତଫା ଦେଇଥିବାରୁ ଖାଲି ରହିଛି। ଆସନ୍ତା ୨ମାସ ମଧ୍ୟରେ ୧୧ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ବାଚନରେ ଏନଡିଏକୁ ୮ ସିଟ୍‌ ଓ ଇଣ୍ଡିଆ ବ୍ଲକ୍‌କୁ ୩ଟି ସିଟ୍‌ ମିଳିବ। ଏଥିରେ ତେଲେଙ୍ଗାନାରେ କଂଗ୍ରେସକୁ ମିଳିବାକୁ ଥିବା ଗୋଟିଏ ଆସନ ମଧ୍ୟ ସାମିଲ ରହିଛି। ଯାହାଫଳରେ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୨୭ରେ ପହଁଞ୍ଚିବ। ବର୍ତ୍ତମାନ ରାଜ୍ୟସଭାରେ ଇଣ୍ଡିଆ ବ୍ଲକ୍‌ ସଦସ୍ୟଙ୍କ ସଂଖ୍ୟା ୮୭ରେ ପହଁଞ୍ଚିଛି।

Leave A Reply

Your email address will not be published.