ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଆର୍ଡିସି ସ୍ତରରେ ସମାଧାନ ପାଇଁ ଯୋଜନା ଜାରି
ଓଏଲ୍ ବ୍ୟୁରୋ: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି ସରକାର। ଲୋକଙ୍କ ବିଭିନ୍ନ ଅସୁବିଧା ମୁଦ୍ଦା କରି ରାଜ୍ୟରେ ବାଜି ମାରି ନେଇଥିବାବେଳେ ସେ ସବୁ ମୁଦ୍ଦାକୁ ପୂରଣ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର। ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିଥିଲେ ମୋହନ ଚରଣ ମାଝୀ। ଆଜି ମଧ୍ୟ ଗୁହାରି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକ ଆସିଥିଲେ। କେତେକ ଦିବ୍ୟାଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।
ତେବେ ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ମୋଟ୍ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏଯାବତ୍ ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଛି। ଆର୍ଡିସି ସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।
ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ପଞ୍ଜୀକରଣର ସମୟସୀମା ରଖାଯାଇଛି। ଆଗ୍ରହୀ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ନିଜ ପଞ୍ଜୀକରଣ କରାଇ ପାରିବେ। ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ପାଇଁ ଶିବିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ବର୍ଷକ ପରେ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ। ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଥିଲେ।