Odisha Link
Bridging the Missing Links in Odisha

ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣା: ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ବିଜେଡିର ଦାବି

ଓଏଲ୍‌ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ଏହି ଘଟଣାକୁ ନେଇ ରାଜଭବନ ଆଗରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ କରିଛି। ରାଜ୍ୟପାଳଙ୍କ ଇସ୍ତଫା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।

ଅନ୍ୟପଟେ, ବିଜୁ ଜନତା ଦଳ ଏନେଇ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରିଛି। ବିଜେଡି ନେତ୍ତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, କୁଆଡେ ଗଲା ବିଜେପିର ଓଡ଼ିଆ ଅସ୍ମିତାର କଥା। କଣ ପାଇଁ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ଦିଆଯାଇନାହିଁ। ଏହା ସହ ସେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ବିଜେଡି ଦାବି କରିବା ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସ୍ଓ ବୈକୁଣ୍ଠ ପ୍ରଧାନ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା।

ଜୁଲାଇ ୭ ତାରିଖ ରାତିରେ ସେ ରାଜଭବନରେ ଥିବା ତାଙ୍କ କାର୍ଯ୍ୟାଳୟରେ ଥିଲେ। ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ରେ ୪ ନମ୍ବର ସୁଟକୁ ଡାକିଥିଲେ। ବୈକୁଣ୍ଠ ପ୍ରଧାନ ତାଙ୍କ ପାଖକୁ ଯିବା ମାତ୍ରେ ଲଳିତ ଓ ସେଠାରେ ଉପସ୍ଥିତ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।

ବିନା କୌଣସି ପାଟି ତୁଣ୍ଡ ବା ବିତର୍କରେ ବୈକୁଣ୍ଠଙ୍କ ଉପରକୁ ଚାପୁଡ଼ା ମାରିଥିଲେ। ଏଥିରେ ବୈକୁଣ୍ଠ ପ୍ରଧାନ ଖସି ପଳାଇବାରେ ସକ୍ଷମ ହୋଇ ଅନ୍ୟ ଏକ କୋଠାରେ ଲୁଚି ରହିଥିଲେ। କିନ୍ତୁ ଲଳିତଙ୍କ ଦୁଇ ଜଣ ପିଏସ୍ଓ ତାଙ୍କୁ ବଳପୂର୍ବକ ନେଇଆସିଥିଲେ। ଏଥର ଲଳିତ ଓ ଅନ୍ୟମାନେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ।

ଏହି ଘଟଣା ପରେ ବୈକୁଣ୍ଠ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ମୌଖିକ ଭାବେ ଜଣାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସେ ନ୍ୟାୟ ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ବୈକୁଣ୍ଠଙ୍କ ପତ୍ନୀ ପୁରୀ ସିବିଚ୍ ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.