ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବଢୁଛି ଚର୍ଚ୍ଚା, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଓଏଲ୍ ବ୍ୟୁରୋ: ଦୀର୍ଘ ୪୬ ବର୍ଷ ପରେ ଖୋଲିସାରିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ଜୁଲାଇ ୧୪ ତାରିଖ ଦିନ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ। ପ୍ରଥମେ ବାହାର ରତ୍ନ ଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଗୁଡିକୁ ଶ୍ରୀମନ୍ଦିର ଭିତରେ ଥିବା ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଥିଲା।
ବାହାର ରତ୍ନଭଣ୍ଡାର ଭିତରେ ଥିବା ଅଳଙ୍କାର ଗୁଡିକୁ ସ୍ଥାନାନ୍ତରଣ ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସିଲ୍ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ। ତେବେ ରତ୍ନଭଣ୍ଡାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟି ପକ୍ଷରୁ ବୈଠକ କରାଯାଇଛି। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି। ତେବେ ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା ଜାରି ରହିଛି।