ସୁନାବେଶ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ
ଓଏଲ୍ ବ୍ୟୁରୋ: ସିଂହଦ୍ୱାର ଆଗରେ ରହିଛି ୩ ରଥ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ ହୋଇଛି। ଶ୍ରୀ ହରିଶୟନ ଏକାଦଶୀ ତିଥିରେ ବୁଧବାର ରଥ ଉପରେ ଦାରୁ ବ୍ରହ୍ମଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହୋଇ ୬ଟା ୩୦ ସୁଦ୍ଧା ଶେଷ ହେବ।
ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବେ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁନାବେଶରେ ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ମାର୍କେଟ ଛକରେ ବ୍ୟାରିକେଡ୍ ହେବ। ଅଧିକ ଭିଡ଼ ହେଲେ ଶ୍ରୀମାର୍ଗ ଦେଇ ଶ୍ରଦ୍ଧାଳୁ ଯିବେ ବୋଲି ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।