ସୁନାବେଶରେ ସଜେଇ ହେବେ ଶ୍ରୀବିଗ୍ରହ, ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଗଡୁଛି ସ୍ୱତନ୍ତ୍ର ଟ୍ରେନ୍
ଓଏଲ୍ ବ୍ୟୁରୋ: ସିଂହଦ୍ୱାର ଆଗରେ ୩ ରଥ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ ହୋଇଛି। ଶ୍ରୀ ହରିଶୟନ ଏକାଦଶୀ ତିଥିରେ ବୁଧବାର ରଥ ଉପରେ ଦାରୁ ବ୍ରହ୍ମଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହୋଇ ୬ଟା ୩୦ ସୁଦ୍ଧା ଶେଷ ହେବ। ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବେ।
ସୁନାବେଶ ଓ ଅଧରପଣା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି। ପୂର୍ବତଟ ରେଳପଥ ରଥ ଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ୫ରୁ ୧୫ ଜୁଲାଇ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀଠାରୁ ଗୁଣ୍ଡିଚା ଯାତ୍ରାଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇ ସାରିଛି।