Odisha Link
Bridging the Missing Links in Odisha

“ଓଡ଼ିଶାରେ ୫ ନୁହେଁ ୨୫ ବର୍ଷ ଶାସନ ପାଇଁ ବିଜେପିର ନକ୍ସା ପ୍ରସ୍ତୁତ”

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୯ ଓ ୨୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ। ବିଜେପି ପ୍ରଥମ ଥର ପାଇଁ ଓଡ଼ିଶା ଶାସନ ଗାଦିରେ ବସିବା ପରେ ଏହା ହେଉଛି ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ। ଯାହାକୁ ନେଇ କର୍ମୀଙ୍କଠୁ ଆରମ୍ଭ କରି ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିରୋଧୀ ଦଳ ବିଜେଡିର ମଧ୍ୟ ନଜର ରହିଛି। ଏସବୁ ମଧ୍ୟରେ ଓଡ଼ିଶା ବିଜେପିର ସହପ୍ରହାରୀ ଲତା ଉସେଣ୍ଡି ଗଣମାଧ୍ୟମକୁ ଦେଇଛନ୍ତି ବଡ଼ ବୟାନ। ୫ ବର୍ଷ ନୁହେଁ ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ବୋଲି କହିଛନ୍ତି ଉସେଣ୍ଡି।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ଲତା ଉସେଣ୍ଡି। ଭୁବନେଶ୍ବର ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇ କହିଛନ୍ତି, ଆଗାମୀ ୫ ବର୍ଷ ନୁହେଁ ବରଂ ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି। ମହାପ୍ରଭୁ ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି। ଯାହାଫଳରେ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ପାଇଲୁ। ସେଥିପାଇଁ ଜଗନ୍ନାଥଙ୍କ ମାଟିରୁ କାର୍ଯ୍ୟକାରିଣୀ ହେଉଛି ବୋଲି କହିଛନ୍ତି ଲତା ଉସେଣ୍ଡି।

ପୁରୀରେ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକ ନେତା ଓ ଜନତାଙ୍କ ମାଧ୍ୟମ ସାଜିବ। କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ। ସରକାର ସହ ସଙ୍ଗଠନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ବିଜେପିରେ ନିରନ୍ତର ଭାବରେ ସଙ୍ଗଠନ କାମ ଚାଲେ। ଯାହାକୁ ତୃଣମୂଳସ୍ତରରେ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଲତା ଉସେଣ୍ଡି କହିଛନ୍ତି।

Leave A Reply

Your email address will not be published.