ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ
ଓଏଲ୍ ବ୍ୟୁରୋ: ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଶ୍ରଦ୍ଧାଳୁ ଓ ଭକ୍ତ ଭିଡ଼। ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଚତୁର୍ଦ୍ଧା ମୁରତୀଙ୍କ ସୁନାବେଶ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁ ଆତ୍ମବିଭୋର। ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ପରମ୍ପରା ଅନୁସାରେ ତିନି ରଥ ଉପରେ ମହାପ୍ରଭୁ ମାନଙ୍କର ଅନୁଷ୍ଠିତ ହୋଇଥିଲା ।
ଏହି ଦୁର୍ଲଭ ସୁନାବେଶ ବା ବଡତଢାଉ ବେଶ। ଆଜି ସକାଳୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ପୂଜା ପରେ ଏକାଦଶୀ ସର୍ବାଙ୍ଗ ନୀତି ଶେଷ ହୋଇଥିଲା। ଏହାପରେ ଚାଙ୍ଗଡ଼ା ଘର ଠାରେ ଷ୍ଟ୍ରଙ୍ଗରୁମ ରେ ଥିବା ଭଣ୍ଡାର ଘରୁ ଆଭୂଷଣ ରଥ ରପରକୁ ବିଜେ କରାଯାଇଥିଲା। କଡା ସୁରକ୍ଷା ମଧ୍ୟରେ ସୁନାବେଶ ପାଇଁ ଆବଶ୍ୟକୀୟ ରତ୍ନ ଅଳଙ୍କାରକୁ ତିନି ରଥ ଉପରକୁ ବିଜେ କରାଯାଇଥିବା ବେଳେ ଦଇତାପତି, ପୁଷ୍ପାଳକ ଓ ଅନ୍ୟାନ୍ୟ ସେବକ ମାନେ ବିଗ୍ରହ ମାନଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ।
ବର୍ଷକରେ ଥରେ ଅନୁଷ୍ଠିତ ଏହି ବେଶ କୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସୁଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି କାନ୍ତି ସମୟ ଅନୁସାରେ ସନ୍ଧ୍ୟା ୫ ଟା ସମୟରୁ ବେଶ ଆରମ୍ଭ ହୋଇଥିବା ବେଳେ ଦର୍ଶନ ଜରିରହିଅଛି।ରାତ୍ର ପ୍ରାୟ ୧୧ ଟାପର୍ଯ୍ୟନ୍ତ ଏହି ବେଶ ଦର୍ଶନ ରଖାଯିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଅଛି। ଭକ୍ତ ମାନେ ମାର୍କେଟ ଛକ ଠାରୁ ସ୍ୱତନ୍ତ୍ର ବାରିକେଟ ଦେଇ ରଥ ସମ୍ମୁଖକୁ ଆସିବା ସହ ସୁନାବେଶ ଦର୍ଶନ ସାରି ଶୃଙ୍ଖଳାର ସହ ପ୍ରସ୍ଥାନ କରୁଥିବା ନଜରକୁ ଆସିଛି। ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳ ସହ ଡାକ୍ତରୀ ଦଳ ମଧ୍ୟ ମହଜୁଦ ରଖାଯାଇଥିବା ବେଳେ ଶ୍ରୀବିଗ୍ରହ ମାନଙ୍କ ସମ୍ମୁଖରେ କେହି ଭି ସେବାୟତ ମାନେ ଠିଆ ନ ହେବାକୁ ନିଷ୍ପତି ନିଆଯାଇଛି।