‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଖୋଳତାଡ଼ ହେବ: ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଆରମ୍ଭ ହୋଇଥିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା। ଏହି ଯୋଜନାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ। ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାତର ଖୋଳତାଡ଼ କରିବ ମୋହନ ସରକାର।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରବି ନାୟକ କହିଛନ୍ତି, ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ ଲକ୍ଷ ଟଙ୍କା ବିଷୟରେ ପଞ୍ଚାୟତିରାଜ ବିଭାଗରେ କୌଣସି ତଥ୍ୟ ନାହିଁ। ଏହି ଯୋଜନା ବାବଦରେ ବିଭାଗ ଅବଗତ ନାହିଁ। ଏପରି କୌଣସି ଯୋଜନା ନଥିଲା। ତୃତୀୟ ମହଲା ମନିଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲେ। କିଏ କରୁଛି, କେତେ କାମ ହେଉଛି ବିଭାଗୀୟ ସଚିବ କିଛି ଜାଣୁ ନଥିଲେ। ରାମ ଭରସାରେ ଏହା ଚାଲିଥିଲା। ବିଭାଗରେ ହୋଇଥିବା ଅନିୟମିତତାର ଖୋଳତାଡ଼ ହେବ ଓ ଲୋକଲୋଚନକୁ ଅଣାଯିବ ବୋଲି ସେ କହିଛନ୍ତି।
ସୂଚନାଥାଉକି, ଗତ ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡିଶା ଜରିଆରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନ ଦେଇଥିଲେ ପୂର୍ବ ସରକାର। ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଏହି ଅର୍ଥ ବ୍ୟୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା ଯେ ସ୍ଥାନୀୟ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ କରାଯିବ। ତାହା ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହ କରିବା ଆଦି କାମ ଅନ୍ତର୍ଭୁକ୍ତ ଥିଲା।