Odisha Link
Bridging the Missing Links in Odisha

SCB ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦ: ୨୪ରୁ କାର୍ଯ୍ୟବନ୍ଦ କରିବେ ନର୍ସିଂ ଅଫିସର

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଉତ୍ତେଜନା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ ହୋଇଛନ୍ତି। ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ଦେଖାଦେଇଛି। ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର।

ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର। ଏନେଇ କଟକ ବଡ଼ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରାଯାଇଛି। ଏହି ଘଟଣାରେ ହାଉସ ସର୍ଜନଙ୍କୁ ଡାକ୍ତର ସଂଘ ସମର୍ଥନ କରିଛି।

ଏହି ଘଟଣାରେ ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ବିବାଦ ସମାଧାନ ହୋଇପାରି ନାହିଁ। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ। ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍ ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଗତକାଲି ଶତାଧିକ ନର୍ସିଂ ଷ୍ଟାଫ୍ ଓ ଜୁନିଅର ଡ଼ାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ।

ଅନ୍ୟପଟେ, ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ନର୍ସିଂ ଅଫିସର ଚେତବାଣୀ ଦେଇଛନ୍ତି। କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର। କଳାବ୍ୟାଚ୍ ପିନ୍ଧି ପ୍ରତିବାଦ ପରେ ୩ ଦିନ ଟୋକାନ ଷ୍ଟ୍ରାଇକ କରିବେ। ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ କରିବେ ଏସସିବି ନର୍ସିଂ ସଂଘ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତଥା ଏସସିବି ଶାଖା ସମ୍ପାଦିକା ସୂଚନା ଦେଇଛନ୍ତି।

Leave A Reply

Your email address will not be published.