Odisha Link
Bridging the Missing Links in Odisha

ଏଥର ବଢ଼ିବନି ସୁନାବେଶ ଦର୍ଶନ ସମୟ, ରାତି ୧୧ ଯାଏଁ ଚାଲିବ ଦର୍ଶନ

ଓଏଲ୍‌ ବ୍ୟୁରୋ: ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଉ ମାତ୍ର କିଛି ସମୟର ଅପେକ୍ଷା ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ।ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନାବେଶ ଆରମ୍ଭ ହୋଇଯିବ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ଷ ବଢ଼ିବନି ସୁନାବେଶର ଦର୍ଶନ ସମୟ। ଯେଉଁ ସମୟ ନିର୍ଘଣ୍ଟ ହୋଇଛି, ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ରାତି ୧୧ ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ସୁନାବେଶରେ ନିୟୋଜିତ ଭଣ୍ଡାର ମେକାପମାନେ ସେଥିରେ ମଧ୍ୟ ବ୍ୟସ୍ତ ରହିବେ। ତେଣୁ ବଢିବନି ସୁନାବେଶ ଦର୍ଶନ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।

ସେ ଆହୁରି କହିଛନ୍ତି, ସେବାୟତମାନେ ରଥ ସମ୍ମୁଖରେ ଠିକ ଭାବେ ରହିବେ, ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ସାମ୍ନାରେ ଛିଡ଼ା ହୋଇ ଭକ୍ତଙ୍କ ପାଇଁ ବାଧକ ନହେବାକୁ ସେବାୟତମାନଙ୍କୁ କୁହାଯାଇଛି। ସେହିପରି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଗତ ବର୍ଷ ସୁନାବେଶ ଦେଖିବାକୁ ୧୦ ଲକ୍ଷରୁ ଅଧିକ ଭକ୍ତ ଆସିଥିଲେ। ଏବର୍ଷ ପାଖାପାଖି ୧୫ ଲକ୍ଷ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି।

Leave A Reply

Your email address will not be published.