Odisha Link
Bridging the Missing Links in Odisha

ଶ୍ରୀଜିଉଙ୍କ ସୁନାବେଶ ପାଇଁ ଟ୍ରାଫିକ୍ କଟକଣା, ଗାଡ଼ି ରଖିବେ କେଉଁଠି ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଉ ମାତ୍ର କିଛି ସମୟର ଅପେକ୍ଷା ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।

ଟ୍ରାଫିକ୍‌ ବ୍ୟବସ୍ଥା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ପିନାକ ମିଶ୍ର କହିଛନ୍ତି, ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ। ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି। ଆବଶ୍ୟକ ପଡିଲେ ଶ୍ରୀମାର୍ଗକୁ ବ୍ୟବହାର କରାଯିବ। ଅଧିକ ଭିଡ଼ ହେଲେ, ଆବଶ୍ୟକସ୍ଥଳେ ଲୋକଙ୍କୁ ବାହାର କରିବା ପାଇଁ ସିଲ ହୋଇଥିବା ରାସ୍ତାକୁ ଖୋଲାଯାଇପାରେ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର।

ସୁନାବେଶ ପାଇଁ ପୁରୀକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୁଟ୍‌ ପ୍ଲାନ୍‌ ଜାରି କରିଛି ପୁରୀ ପ୍ରଶାସନ। ତାଉପରେ ପକାନ୍ତୁ ନଜର।

ପାର୍କିଂ କରିବେ କେଉଁଠି ?:
ଭୁବନେଶ୍ୱର ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଉତ୍ତରା, ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଦେଇ ତାଳବଣିଆ ଅଭିମୁଖେ ଯିବେ। ବାଇଦାସ ନଗର, ଗ୍ରୀଡ୍ ଷ୍ଟେସନ, ଭୁଦାନ ଛକ ଦେଇ ଇଣ୍ଡୋର ଷ୍ଟାଡିୟମ୍ ପାର୍କିଂ, ଆଇଟିଆଇ ପାର୍କିଂ, ହେଲିପ୍ୟାଡ୍ ପାର୍କିଂ, ୟୁନିଭରସିଟି ପାର୍କିଂରେ ନିଜ ଗାଡି ରଖିବେ। ସେହିପରି ବ୍ରହ୍ମଗିରିପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ମଙ୍ଗଳାଘାଟ ଛକରୁ ଡାଇଭର୍ଟ ହୋଇ ଯାତ୍ରୀ ପାର୍କିଂ ସ୍ଥଳକୁ ଯିବେ । ସେହିପରି ଭୁବନେଶ୍ୱରରୁ ଆସୁଥିବା ପାସଧାରୀ ଚାରିଚକିଆ ଯାନଗୁଡିକ ଉତ୍ତରା, ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଦେଇ ବାଟଗାଁରୁ ରୁଟ୍ ବଦଳାଇ ଶ୍ରୀସେତୁ ଦେଇ ଜେବିପିସି ପାର୍କିଂରେ ରହିବେ। ଏହି ପାର୍କିଂ ଫୁଲ ହୋଇଗଲେ, ଷ୍ଟେରଲିନ୍ ଛକ ଦେଇ ଗଦାଧର ହାଇସ୍କୁଲ ପାର୍କିଂରେ ଗାଡି ପାର୍କ କରିବେ।

Leave A Reply

Your email address will not be published.