ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣା: ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ
ଓଏଲ୍ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼କୁ ନେଇ ପ୍ରତିବାଦ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭରେ ସାମିଲ ହୋଇଛନ୍ତି ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବି ବିବାଦ ବଢିବାରେ ଲାଗିଛି।
ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସ୍ଓ ବୈକୁଣ୍ଠ ପ୍ରଧାନ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୁରୀରେ ରଥଯାତ୍ରା ରାତିରେ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା।
ଜୁଲାଇ ୭ ତାରିଖ ରାତିରେ ସେ ରାଜଭବନରେ ଥିବା ତାଙ୍କ କାର୍ଯ୍ୟାଳୟରେ ଥିଲେ। ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ରେ ୪ ନମ୍ବର ସୁଟକୁ ଡାକିଥିଲେ। ବୈକୁଣ୍ଠ ପ୍ରଧାନ ତାଙ୍କ ପାଖକୁ ଯିବା ମାତ୍ରେ ଲଳିତ ଓ ସେଠାରେ ଉପସ୍ଥିତ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।
ବିନା କୌଣସି ପାଟି ତୁଣ୍ଡ ବା ବିତର୍କରେ ବୈକୁଣ୍ଠଙ୍କ ଉପରକୁ ଚାପୁଡ଼ା ମାରିଥିଲେ। ଏଥିରେ ବୈକୁଣ୍ଠ ପ୍ରଧାନ ଖସି ପଳାଇବାରେ ସକ୍ଷମ ହୋଇ ଅନ୍ୟ ଏକ କୋଠାରେ ଲୁଚି ରହିଥିଲେ। କିନ୍ତୁ ଲଳିତଙ୍କ ଦୁଇ ଜଣ ପିଏସ୍ଓ ତାଙ୍କୁ ବଳପୂର୍ବକ ନେଇଆସିଥିଲେ। ଏଥର ଲଳିତ ଓ ଅନ୍ୟମାନେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ।
ଏହି ଘଟଣା ପରେ ବୈକୁଣ୍ଠ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ମୌଖିକ ଭାବେ ଜଣାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସେ ନ୍ୟାୟ ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ବୈକୁଣ୍ଠଙ୍କ ପତ୍ନୀ ପୁରୀ ସିବିଚ୍ ଥାନାରେ ଅଭିଯୋଗ କରିଥିଲେ।