Odisha Link
Bridging the Missing Links in Odisha

ଅଡୁଆରେ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କର, କାରଣ ଦର୍ଶାଅ ନୋଟିସ୍ ଜାରି କଲା ୟୁପିଏସ୍‌ସି

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ଆଉ ଏକ ଝଟକା। ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ପାଇ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାଦରେ ଫସିଥିବା ପୂଜାଙ୍କ ପିରୋଧରେ ୟୁପିଏସ୍‌ସି ମାମଲା ରୁଜୁ କରିଛି। ଏହାସହ ସିଭିଲ ସେବା ପରୀକ୍ଷା ୨୦୨୨ରୁ ତାଙ୍କ ସଦସ୍ୟତା ରଦ୍ଦ ଏବଂ ଭବିଷ୍ୟତରେ ପରୀକ୍ଷା ଦେବାରୁ ତାଙ୍କୁ କାହିଁକି ରୋକା ଯିବନି ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ନୋଟିସରେ ୟୁପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଆପଣଙ୍କ ସଦସ୍ୟତା କାହିଁକି ରଦ୍ଦ କରାଯିବନି ଓ ଆଗାମୀ ୟୁପିଏସସି ପରୀକ୍ଷାରୁ କାହିଁକି ବଞ୍ଚିତ କରାଯିବନି। ୟୁପିଏସସି ପକ୍ଷରୁ କୁହାଯାଇଛି, ‘ପୂଜା ଖେଡକରଙ୍କ ବିରୋଧରେ ବିସ୍ତୃତ ଯାଞ୍ଚ କରାଯାଇଛି। ସିଭିଲ ସେବା ପରୀକ୍ଷା ୨୦୨୨ରେ ସେ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତାଙ୍କର ପରୀକ୍ଷା ଦେବା ଲିମିଟ ଶେଷ ହୋଇଯାଇଥିଲା। ଏହା ସତ୍ତ୍ବେ ସେ ନିଜ ପରିଚୟକୁ ଜାଲିଆତି କରି ୟୁପିଏସସିର ସିଭିଲ ପରୀକ୍ଷା ଦେଇଥିଲେ। ସେ କେବଳ ନିଜ ନାଁ ବଦଳାଇ ନଥିଲେ, ବାପା, ମାଆଙ୍କ ନାଁ ବଦଳାଇ ଦେଇଥିଲେ। ଏପରିକି ଫଟୋ ବି ବଦଳାଇ ଦେଇଥିଲେ।

ସୂଚନା ଅନୁସାରେ, ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ପୂଜା ଆଇଏଏସ୍‌ ଚାକିରି ପାଇବାରେ ସକ୍ଷମ ହୋଇଥିବା ଅଭିଯୋଗ ହେବା ପରେ ତାଙ୍କ ଚାକିରି ସଙ୍କଟ ମଧ୍ୟକୁ ଚାଲି ଯାଇଛି। ଯେଉଁ ସରକାରୀ ହସ୍ପିଟାଲ ପୂଜାଙ୍କୁ ମାନସିକ ରୂପେ ଅସୁସ୍ଥ ଥିବା ସହ ଦୃଷ୍ଟିବାଧିତ ଥିବା ଦର୍ଶାଇ ସାର୍ଟିଫିକେଟ ପ୍ରଦାନ କରିଥିଲେ ଏବେ ଉକ୍ତ ହସ୍ପିଟାଲକୁ ରିପୋର୍ଟ ତଲବ କରାଯାଇଛି। ଏହି ରିପୋର୍ଟକୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର କରାଯିବ। ରିପୋର୍ଟରେ କୌଣସି ଭୁଲ୍‌ ଥିବା ପ୍ରମାଣିତ ହେଲେ ପୂଜାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.