ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା

ଓଏଲ୍ ବ୍ୟୁରୋ: ସାରା ଦେଶରେ ପୂଜା ଖେଡକର ବିବାଦ ଚର୍ଚ୍ଚାରେ ଥିବାବେଳେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି। କାର୍ଯ୍ୟକାଳ ଶେଷ ହେବାର ୫ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ସେ ପଦରୁ ଇସ୍ତଫା ଦେଇଥିବା ପତ୍ରରେ ଦର୍ଶାଇଛନ୍ତି।
ମନୋଜ ସୋନି ୨୦୧୭ ମସିହାରେ ୟୁପିଏସ୍ସିର ସଦସ୍ୟ ହୋଇଥିଲେ। ଗତ ବର୍ଷ ମେ’ ୧୬ ତାରିଖରେ ସେ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ମନୋଜ ସୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଓ ଖାସ୍ ଲୋକ ବୋଲି ଜଣାଯାଇଛି। ଏଥିଯୋଗୁ ୟୁପିଏସ୍ସି ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ଗୁଜରାଟର ଦୁଇଟି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଇ ସାରିଛନ୍ତି।