Odisha Link
Bridging the Missing Links in Odisha

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ, ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଓଏଲ୍‌ ବ୍ୟୁରୋ: ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ଟାରେ ଏସସିବିରେ ତାଙ୍କର ପରଲୋକ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। କମଳା ପୂଜାରୀଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି, ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗ ଖବର ଶୁଣି ମର୍ମାହତ। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ପରିବେଶ ସୁରକ୍ଷା ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ଗୌରବ ତଥା କୃଷିବିତ୍ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ। ବିଭିନ୍ନ କିସମର ଧାନ ସଂରକ୍ଷଣ କରିବା ଦିଗରେ ସେ ଦେଶରେ ଉଦାହରଣ ସୃଷ୍ଟି କରିଥିଲେ। ଜନଜାତି ସମୁଦାୟରୁ ଆସି କୃଷି ବିଶେଷତଃ ଜୈବିକ ଚାଷ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କମଳା ପୂଜାରୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସୂଚନାଥାଉକି, ଗତ ଦୁଇ ବର୍ଷ କମଳା ପୂଜାରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଗରୁ ବହୁ ବାର କମଳା ପୂଜାରୀ ଏସସିବି ମେଡିକାଲ ଆସି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ। ସୂଚନାଥାଉକି, ୧୬ ତାରିଖ ସନ୍ଧ୍ୟାରେ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ୧୮ ତାରିଖରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଆଜି ତାଙ୍କର ପରଲୋକ ହୋଇଛି। ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଭାବେ ସେ ଦେଶରେ ପରିଚିତ ଥିଲେ। ୨୦୧୯ ମାର୍ଚ୍ଚ ୧୬ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।କୋରାପୁଟ ଜିଲ୍ଲା ପାତ୍ରପୁଟ ଗ୍ରାମର କମଳା ପୂଜାରୀ ଲୋପ ପାଇଯାଉଥିବା ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିଥିଲେ।

Leave A Reply

Your email address will not be published.