Odisha Link
Bridging the Missing Links in Odisha

କାହିଁକି ପାଣ୍ଡ୍ୟାଙ୍କୁ ମିଳିଲାନି ଅଧିନାୟକ ପଦ? ବିରାଟଙ୍କୁ ନେଇ ବଡ଼ ବୟାନ ଦେଲେ ଗମ୍ଭୀର

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଆଜି ଶ୍ରୀଲଙ୍କା ଗସ୍ତ କରିଛି ଭାରତୀୟ କ୍ରିକେଟ ଦଳ। ଶ୍ରୀଲଙ୍କା ବିପକ୍ଷରେ ୨୭ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତୀୟ କ୍ରିକେଟ ଦଳ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଓ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଯେଊଁଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ରଖିଛନ୍ତି।

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଥିବାବେଳେ ଉପଅଧିନାୟକ ପଦରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ। ରୋହିତଙ୍କ ଅବସର ପରେ ଟି-୨୦ ଫର୍ମାଟରେ ଟିମ୍‌ ଇଣ୍ଡିଆର ଅଧିନାୟକ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା। ହେଲେ ଭାରତୀୟ କ୍ରିକେଟ ଦଳର ଚୟନ କମିଟି ସୂର୍ଯ୍ୟ କୁମାର ଯାଦବଙ୍କୁ ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରିଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସେ କହିଛନ୍ତି, ସୂର୍ଯ୍ୟକୁମାର ଯାଦବଙ୍କୁ ଏଥିପାଇଁ ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି, କାରଣ ସେ ଜଣେ ଭଲ ଖେଳାଳି। ଆଉ ସେ ମଧ୍ୟ ଅଧିନାୟକ ଦୌଡ଼ରେ ଥିଲେ। ସେ ଟି-୨୦ କ୍ରିକେଟର ଶ୍ରେଷ୍ଠ ଖେଳାଳି। ଦଳକୁ ଏପରି ଜଣେ ଅଧିନାୟକ ଦରକାର ଯିଏ ସବୁ ମ୍ୟାଚ୍‌ ଖେଳିବାକୁ ସକ୍ଷମ ହେଉଥିବ। ବିଗତ ଦିନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍‌ ବିଗିଡ଼ିବାରୁ କିଛି ସିରିଜରୁ ବାଦ ପଡ଼ିଛନ୍ତି। ଯାହାକୁ ନଜରରେ ରଖି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। ସେ ଆହୁରି କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ବହୁତ ଗରୁତ୍ବପୂର୍ଣ୍ଣ ଖେଳାଳି। ହେଲେ ତାଙ୍କ ଫିଟ୍‌ନେସ୍‌ ଚିନ୍ତା ଚୟନକର୍ତ୍ତା ଓ କୋଚ୍‌ଙ୍କୁ ବେଳେ ବେଳେ ଅସୁବିଧାରେ ପକାଉଛି। ସେଥିପାଇଁ ସମସ୍ତ ମ୍ୟାଚ୍‌ ଖେଳି ପାରୁଥିବା ଖେଳାଳିଙ୍କୁ ଅଧିନାୟକ ବାଛିଚୁ। ସୂର୍ଯ୍ୟକୁମାରଙ୍କ ପାଖରେ ସମସ୍ତ କ୍ଷମତା ରହିଛି ବୋଲି ଅଗରକର କହିଛନ୍ତି।

ରୋହିତ-ବିରାଟଙ୍କୁ ନେଇ ମୁହଁ ଖୋଲିଲେ ଗମ୍ଭୀର

ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇିଣ୍ଡିଆର ନୂଆ କୋଚ୍‌ ଗୌତମ ଗମ୍ଭୀର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରୋହିତ-ବିରାଟ ସାରା ବିଶ୍ବକୁ ଦେଖାଇ ଦେଇଛନ୍ତି ଯେ ବଡ଼ ମଞ୍ଚରେ କ’ଣ କରିପାରନ୍ତି। ସେ ଦିନିକିଆ ବିଶ୍ବକପ୍‌ ହେଉ ବା ଟି-୨୦ ବିଶ୍ବକପ୍‌ ହେଉ। ଏହି ଦୁଇ ଖେଳାଳି ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି। ଏହି ଦୁଇ ଖେଳାଳି ଆହୁରି କ୍ରିକେଟ ଖେଳିବା ବାକି ରହିଛି। ଚମ୍ପିଆନ୍ସ ଟ୍ରଫି, ଅଷ୍ଟ୍ରେଲିଆ ସିରିଜ ଆଗକୁ ରହିଛି। ଯଦି ଫିଟନେସ୍‌ ଭଲ ରୁହେ ତେବେ ଏହି ଦୁଇ ଖେଳାଳି ୨୦୨୭ ଦିନିକିଆ ବିଶ୍ବକପ୍‌ ଖେଳିପାରନ୍ତି ବୋଲି ଗମ୍ଭୀର କହିଛନ୍ତି।

ମୋର-କୋହଲିଙ୍କ ସମ୍ପର୍କ ଟିଆରପି ପାଇଁ ନୁହେଁ: ଗମ୍ଭୀର

ଗୌତମ ଗମ୍ଭୀର କହିଛନ୍ତି, ବିରାଟ କୋହଲିଙ୍କ ସହିତ କିଭଳି ସମ୍ପର୍କ ରହିଛି ତାହା ମୁଁ ଜାଣିଛି। ଆମ ସମ୍ପର୍କ ଟିଆରିପି ପାଇଁ ନୁହେଁ ବୋଲି କହିଛନ୍ତି। ଭାରତୀୟ ଦଳ ୧୪୦ କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ବ କରୁଛି। ବିରାଟ କୋହଲି ଜଣେ ବିଶ୍ବସ୍ତରୀୟ ଖେଳାଳି। ମୁଁ ବାରମ୍ବାର କହୁଛି ଯେ ଆମେ ଦୁହେଁ ମିଶିକି କଠିନ ପରିଶ୍ରମ କରିବୁ ଆଉ ଭାରତୀୟଙ୍କୁ ବିଜୟ ମୁକୁଟ ପ୍ରଦାନ କରିବୁ ବୋଲି କହିଛନ୍ତି ଗମ୍ଭୀର।

ଜାଡେଜାଙ୍କୁ ଦିନିକିଆ ସିରିଜରୁ ବାହାର କରାଯାଇ ନାହି: ଅଗରକର

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଯାହାକୁ ନେଇ ଲାଗି ରହିଛି ଅନେକ ଚର୍ଚ୍ଚା। ଏସବୁ ମଧ୍ୟରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି, ରବିନ୍ଦ୍ର ଜାଡେଜାଙ୍କୁ ଦଳରୁ ବାହାର କରାଯାଇ ନାହିଁ। ଜାଡେଜା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଖେଳାଳି। ସେ ଦଳର ରଣନୀତିର ଜଣେ ଅଂଶ। ଯେଉଁ ଖେଳାଳି ଦରେ ସ୍ଥାନ ପାଇ ନଥାନ୍ତି। ସମସ୍ତଙ୍କୁ ଲାଗେ ଯେ ତାଙ୍କ ସହିବ ଖରାପ ହୋଇଛି। ବେଳେ ବେଳେ ଏପରି ହୁଏ ଯେ କେଉଁ ଖେଳାଳିଙ୍କୁ ଟପ୍‌-୧୫ରେ ରଖିବୁ ତାହାକୁ ନେଇ ଅସୁବିଧା ଉପୁଜିଛି। ଏହି ଛୋଟ ସିରିଜ ପାଇଁ ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡେଜାଙ୍କୁ ଏକାଠି ନେବାକୁ ଉଚିତ୍‌ ମନେ କଲୁ ନାହିଁ ବୋଲି କହିଛନ୍ତି ଅଗରକର।

ଗମ୍ଭୀରଙ୍କ ପ୍ରଥମ ପରୀକ୍ଷା:
ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କୋଚ୍‌ ଭାବେ ପ୍ରଥମ ପରୀକ୍ଷା ଦେବାକୁ ଯାଉଛନ୍ତି ଗମ୍ଭୀର। ୪୨ ବର୍ଷିୟ ଗମ୍ଭୀର ଦ ଓ୍ବାଲ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଦ୍ରାବିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ବକପ୍‌ ପରେ ଶେଷ ହୋଇ ଯାଇଛି। ୨୦୨୭ ଦିନିକିଆ ବିଶ୍ବକପ୍‌ ପର୍ଯ୍ୟନ୍ତ ଗମ୍ଭୀରଙ୍କ କାର୍ଯ୍ୟକାଳ ରହିବ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍‌ (ଉପଅଧିନାୟକ), ଯଶ୍ବସୀ ଜଶଓ୍ବାଲ, ରିଙ୍କୁ ସିଂହ, ରିୟାନ ପରାଗ, ଋଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, ରବି ବିଶ୍ନୋଇ, ଅର୍ଶଦୀପ ସିଂହ, ଖଲୀଲ ଅହମ୍ମଦ, ମହମ୍ମଦ ସିରାଜ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟସ୍‌ ଆୟର, ଶିଭମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ ପରାଗ, ଅକ୍ଷର ପଟେଲ, ଖଲିଲ୍‌ ଅହମ୍ମଦ, ହର୍ଷିତ ରାଣା।

Leave A Reply

Your email address will not be published.