Odisha Link
Bridging the Missing Links in Odisha

ବିଜେଡିକୁ ନେଇ ଜୟନାରାୟଣଙ୍କ ଭବିଷ୍ୟବାଣୀ, ଜବାବ ରଖିଲେ ପ୍ରମିଳା ମଲ୍ଲିକ

ଓଏଲ୍ ଵ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନ ପରେ ବିଜେଡିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ବିଜେଡି ସରକାରକୁ ଫେରିବ ବୋଲି କହୁଛି, ତେବେ ସେତେବେଳ ଯାଏଁ ସେ ବଞ୍ଚିଥିବେ ତ ବୋଲି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବିରୋଧୀ ନେତା କି ଶାସକଦଳ ନେତା ମତେ କିଛି ଫରକ ପଡୁନି। ଆମକୁ ରାଜନୈତିକ ଶିଷ୍ଟାଚାର ଜଣା, ଆମେ ରାଜନୈତିକ ଶିଷ୍ଟାଚାର ଅବଲମ୍ବନ କରୁ, ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଶିଷ୍ଟାଚାର ଜଣାନଥିଲା। ତାଙ୍କୁ ଶିଷ୍ଟାଚାର ଜଣା ନଥିବାରୁ ଭୁଲ କରୁଥିଲେ। ଆମେ ସେଭଳି ଭୁଲ କରିବୁନି। ଗଠନ ମୂଳକ ପ୍ରସ୍ତାବ ବିରୋଧୀ ଦଳ ଦେବା କଥା, ସେଥିରେ କୌଣସି ଅସୁବିଧା ନାହିଁ। ସରକାରୀ ଦଳ ଓ ବିରୋଧୀ ଦଳ ମିଶି ଦେଶ ଚଳାଇବେ। ବିରୋଧୀ ତାଙ୍କ କାମ କରିବେ, ଆମେ ଆମ କାମ କରିବୁ। କିନ୍ତୁ ଗୋଟିଏ କଥା, ମୁଁ ଭବିଷ୍ୟବାଣୀ କଲି, ବିଜେଡିର ଆୟୁଷ ବହୁତ କମ ଦିନ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ଅନ୍ୟପଟେ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଜ୍ୟୋତିଷ ପାଠ ପଢିଲେଣି ନା ଜାତକ ଦେଖୁଛନ୍ତି କି ଜୟନାରାୟଣ? ରାଜନୀତି ଛାଡି ଜ୍ୟୋତିଷ ହୋଇଗଲେଣି କି ଜୟନାରାୟଣ? ଯଦି ଜ୍ୟୋତିଷ କାମ କରୁଥିବେ ବିଧାନସଭା ନଆସି ଗୋଟେ ଦୋକାନ ଖୋଲି ଜାତକ ଦେଖନ୍ତୁ ବୋଲି ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.