Odisha Link
Bridging the Missing Links in Odisha

ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ନବୀନଙ୍କ ଉଦବେଗ; କହିଲେ-ମୁଁ ଓ ମୋ ଦଳ ଅତି ଦୁଃଖିତ

ଓଏଲ୍‌ ବ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା।

ଦିବଂଗତ ନେତା ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଛି। ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ମୁରଲଧୀର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ସୁରେନ୍ଦ୍ରନାଥ ନାୟକ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଶୋକପ୍ରସ୍ତାବ, ସ୍ବର୍ଗତ ଡମ୍ବୁରଧର ଉଲ୍ଲାକା, ଆଦିତ୍ୟ ମାଢୀଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହୋଇଛି। ଏହା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ଓ ମୋ ଦଳ ଅତି ଦୁଃଖିତ କାରଣ ବର୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ, ଏହା ମତେ ଆଘାତ ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗି ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ ଥିବାରୁ, ଆମେ ଗୃହ ପରିତ୍ୟାଗ କଲୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନା ଅନୁସାରେ, ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ରଖି କହିଛନ୍ତି, ଓଡ଼ିଶା ଗଠନର ଶତବାର୍ଷିକୀ ପାଖେଇ ଆସୁଥିବା ବେଳେ ମୋ ସରକାର ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି। ଏହି ବିକଶିତ ଓଡ଼ିଶାରେ କୃଷକମାନଙ୍କର ଉନ୍ନତି ହେବ, ଯୁବକ ଯୁବତୀମାନେ ରୋଜଗାର ପାଇବେ ଏବଂ ମହିଳାମାନେ ସଶକ୍ତ ହେବେ। କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତା ଓ ନାରୀ ଶକ୍ତିକୁ ସବୁ ଦିଗରୁ ପ୍ରାଥମିକତା ଦିଆଯିବ। ସଂସ୍କାର, ପ୍ରଦର୍ଶନ, ଏବଂ ରୂପାନ୍ତର ମୋ ସରକାରଙ୍କ ଉଦ୍ଦେଶ୍ୟ ହେବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।

ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମୋ ସରକାର ଗୁରୁତ୍ବ ଦେବ। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରି ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ୬୦ ପ୍ରତିଶତ ଲୋକେ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୋ ସରକାର ଆଗାମୀ ୫ ବର୍ଷର ବ୍ୟାପକ ଦୃଷ୍ଟିକୋଣ ସହ କୃଷିକ୍ଷେତ୍ରରେ ସଂପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି।

Leave A Reply

Your email address will not be published.