Odisha Link
Bridging the Missing Links in Odisha

ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ, ଗୃହ କାର୍ଯ୍ୟ ସ୍ଥଗିତ ରଖିଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା।

ଦିବଂଗତ ନେତା ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଛି। ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ମୁରଲଧୀର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ସୁରେନ୍ଦ୍ରନାଥ ନାୟକ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଶୋକପ୍ରସ୍ତାବ, ସ୍ବର୍ଗତ ଡମ୍ବୁରଧର ଉଲ୍ଲାକା, ଆଦିତ୍ୟ ମାଢୀଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ହୋଇଛି।

ସୂଚନା ଅନୁସାରେ, ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ରଖି କହିଛନ୍ତି, ଓଡ଼ିଶା ଗଠନର ଶତବାର୍ଷିକୀ ପାଖେଇ ଆସୁଥିବା ବେଳେ ମୋ ସରକାର ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି। ଏହି ବିକଶିତ ଓଡ଼ିଶାରେ କୃଷକମାନଙ୍କର ଉନ୍ନତି ହେବ, ଯୁବକ ଯୁବତୀମାନେ ରୋଜଗାର ପାଇବେ ଏବଂ ମହିଳାମାନେ ସଶକ୍ତ ହେବେ। କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତା ଓ ନାରୀ ଶକ୍ତିକୁ ସବୁ ଦିଗରୁ ପ୍ରାଥମିକତା ଦିଆଯିବ। ସଂସ୍କାର, ପ୍ରଦର୍ଶନ, ଏବଂ ରୂପାନ୍ତର ମୋ ସରକାରଙ୍କ ଉଦ୍ଦେଶ୍ୟ ହେବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।

ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମୋ ସରକାର ଗୁରୁତ୍ବ ଦେବ। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରି ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ୬୦ ପ୍ରତିଶତ ଲୋକେ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୋ ସରକାର ଆଗାମୀ ୫ ବର୍ଷର ବ୍ୟାପକ ଦୃଷ୍ଟିକୋଣ ସହ କୃଷିକ୍ଷେତ୍ରରେ ସଂପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି।

ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ଅଧୀନରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବ। ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା, ଉତ୍ପାଦ ଗୁଡ଼ିକର ବଜାର ସୁବିଧା ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ୨୦୨୭ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ସାମଗ୍ରିକ ଶିକ୍ଷା ସଂସ୍କାର କ୍ଷେତ୍ରରେ ଦୃତ ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ଜାତୀୟ ଶିକ୍ଷାନୀତି ୨୦୨୦ ସହ ସଂଯୁକ୍ତ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ କରିବେ। ଏଥିରେ ଓଡ଼ିଆରେ ଆଇନ, ଡାକ୍ତରୀ ଓ ଇଞ୍ଜନିୟରିଂ ପାଠ୍ୟକ୍ରମ ଉପଲବ୍ଧ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଏହାସହ ନିଜ ଅଭିଭାଷଣରେ ରାଜ୍ୟପାଳ ସ୍ବାସ୍ଥ୍ୟ, ଶିଳ୍ପ, ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭିଜନ ସଂପର୍କରେ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.