ନୂଆ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ବ ନେଲେ ପୀତାମ୍ବର ଆଚାର୍ଯ୍ୟ
ଓଏଲ୍ ଵ୍ୟୁରୋ: ଓଡ଼ିଶା ହାଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଆଡଭୋକେଟ୍ ଜେନେରାଲ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଏହି ବଡ଼ ଦାୟିତ୍ବ ଦେଇଛନ୍ତି। ନୂଆ ଆଡଭୋକେଟ୍ ଜେନେରାଲ ଭାବେ ପୀତାମ୍ବର ଆଚାର୍ଯ୍ୟ ଦାୟିତ୍ବ ନେଇଛନ୍ତି। ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କଲେ।
ସୂଚନା ଅନୁସାରେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାସେ ଅତିକ୍ରମ କରିଛି। ଏ ଯାଏଁ ଏଜି ନିଯୁକ୍ତି ହୋଇ ନଥିବାରୁ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଉଥିଲା। ଏପରିକି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏନେଇ ପ୍ରଶ୍ନ କରିଥିଲେ। ବିରୋଧୀ ବିଜେଡି ମଧ୍ୟ ସରକାରଙ୍କୁ ଘେରିଥିଲା। କାରଣ, ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବୀ।
ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ମୋହର ମାରିଛନ୍ତି।