ଓଡ଼ିଶା ଛାଡ଼ିବେ ଷ୍ଟାର କ୍ରିକେଟର ଶୁଭ୍ରାଂଶୁ, କାହିଁକି ଜାଣନ୍ତୁ

ଓଏଲ୍ ବ୍ୟୁରୋ: ରଣଜୀ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା କ୍ରିକେଟ ଦଳକୁ ବଡ଼ ଝଟକା। ଓଡ଼ିଶା କ୍ରିକେଟ ସଂଘର ଭିଜନ୍ ୨୦୨୪କୁ ବଡ଼ ଧକ୍କା ଲାଗିବାକୁ ଯାଉଛି। କାରଣ ଓଡ଼ିଶାର ଷ୍ଟାର କ୍ରିକେଟର ଶୁଭ୍ରାଂଶୁ ସେନାପତି ନିଜ ରାଜ୍ୟରୁ ଆଉ ପ୍ରତିନିଧିତ୍ବ କରିବେନି। ସେ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ପାଇଁ ଘରୋଇ ମ୍ୟାଚ୍ ଖେଳିବାକୁ ମନ ବଳାଇଛନ୍ତି। ସେ ୧୦ମ ଓଡ଼ିଆ ଖେଳାଳି ଭାବେ ରାଜ୍ୟ ବାହାର ଦଳରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଯାଉଛନ୍ତି।
ବିଗତ ୮ ବର୍ଷ ଧରି ଓଡ଼ିଶା ପାଇଁ ଖେଳି ଆସୁଛନ୍ତି ଶୁଭ୍ରାଂଶୁ ସେନାପତି। ଓଡ଼ିଶା ଦଳ ରଣଜୀ ଟ୍ରଫିରେ କ୍ବଚିତ୍ କ୍ବାର୍ଟରଫାଇନାଲ୍ ଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରୁନି। ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ଦୁଇ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଆଇପିଏଲ୍ରେ ଖେଳାଇବା ପାଇଁ ନେଇଥିଲା। କିନ୍ତୁ ଦୁଇ ବର୍ଷ ଧରି ସେ କେବଳ ଡଗ୍ଆଉଟ୍ରେ ବସି ଫେରିଥିଲେ। ଏପରିକି କୌଣସି ଔପଚାରିକ ମ୍ୟାଚ୍ ନଖେଳି ମଧ୍ୟ ନିଜ କ୍ଷେତ୍ରରକ୍ଷଣ କୌଶଳ ପାଇଁ ଆଇପିଏଲ୍ ଇତିହାସରେ ନିଜ ନାମ ଲେଖାଇ ପାରିଥିଲେ। ଏସବୁ ସତ୍ତ୍ବେ ସେ ଆସନ୍ତା ଋତୁଠାରୁ ଆଉ ଓଡ଼ିଶା ପାଇଁ ଖେଳିବେନି ବୋଲି ସ୍ଥିର କରିସାରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶୁଭ୍ରାଂଶୁ ସେନାପତିଙ୍କ ବ୍ୟାଟିଂରେ ବେଶ ପ୍ରଭାବିତ ହୋଇଛନ୍ତି ମଧ୍ୟପ୍ରଦେଶ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ। ସେ ହିଁ ଶୁଭ୍ରାଂଶୁଙ୍କୁ ତାଙ୍କ ଦଳ ପକ୍ଷରୁ ଆଗାମୀ ଋତୁରେ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଆଇପିଏଲ୍ ଖେଳାଇବା ଭଳି ଆଶା ଦେଇଥିଲେ। ଅନ୍ୟପକ୍ଷରେ ଆହତ ଥିବା ଦର୍ଶାଇ ଶୁଭ୍ରାଂଶୁ ଚଳିତ ବର୍ଷର କଳାହାଣ୍ଡି କପ୍ କିମ୍ବା ଓଡ଼ିଶା କ୍ରିକେଟ୍ ଲିଗ୍ (ଓସିଏଲ୍)ରେ ଆଦୌ ଖେଳିନାହାନ୍ତି। ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟରୁ ଖେଳିବା ପାଇଁ ସେ ଏନ୍ଓସି ପାଇଁ ମଧ୍ୟ ଓସିଏରେ ଆବେଦନ କରିସାରିଛନ୍ତି। କିନ୍ତୁ ତାଙ୍କୁ ଏନ୍ଓସି ମିଳିନି।
ଶୁଭ୍ରାଂଶୁ ଓଡ଼ିଶା ପାଇଁ ୫୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲା ବେଳେ ୩୭.୫୫ ହାର, ୮ ଶତକ ଓ ୧୨ ଅର୍ଦ୍ଧଶତକ ସହାୟତାରେ ୨୯୬୭ ରନ୍ ସଂଗ୍ରହ କରିଛନ୍ତି। ଯାହାମଧ୍ୟରେ ମଧ୍ୟପ୍ରଦେଶ ବିପକ୍ଷରେ ଗତ ଋତୁରେ କରିଥିବା ୨୭୭ ରନ୍ ତାଙ୍କର ସର୍ବୋଚ୍ଚ ପାଳି ହୋଇ ରହିଛି। ସେହିପରି ୪୯ ଲିଷ୍ଟ ଏ’ରୁ ୧୩୮୦ ରନ୍ ଓ ୩୯ ଟ୍ବେଣ୍ଟି-୨୦ ରୁ ୧୦୮୨ ରନ୍ ସଂଗ୍ରହ କରିଛନ୍ତି।