ବଢ଼ିବ ରାସନ୍ କାର୍ଡ ହିତାଧିକାରୀଙ୍କ ସଂଖ୍ୟା, ବଡ଼ ସୂଚନା ଦେଲେ ଖାଉଟି କଲ୍ୟାଣ ମନ୍ତ୍ରୀ
![](https://www.odishalink.com/wp-content/uploads/2024/07/IMG_20240724_152218_301-e1721814794502-750x430.webp)
ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।
ବିଧାନସଭା ଅଧିବେଶନରେ ବୁଧବାର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ, ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କେତେ ଖାଉଟି ଉପକୃତ ହେଉଛନ୍ତି? ଏଥିସହ ଏପର୍ଯ୍ୟନ୍ତ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ କେତେ ଜଣ ଅପେକ୍ଷାରତ ଅଛନ୍ତି?
ଏହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ୯୨ ଲକ୍ଷ ୬୬ ହଜାର ୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୧୫ ହଜାର ୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀ ଉପକୃତ ହେଉଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷରୁ ଅଧିକ ପରିବାର ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।