Odisha Link
Bridging the Missing Links in Odisha

ବିଧାନସଭାରେ ଅଚଳାବସ୍ଥା ଜାରି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଓଏଲ୍ ବ୍ୟୁରୋ: ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ହଟୁନାହିଁ। ଆଜି ସମାନ ପ୍ରସଙ୍ଗ ଗୃହରେ ଉଠାଇ ବିଜେଡି କକ୍ଷତ୍ୟାଗ କରିଛି। ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଦଳ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାକୁ ବୟକଟ କରିଛି। ସେହିପରି କଂଗ୍ରେସ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ପ୍ରବଳ ହଟ୍ଟଗୋଳ କରିଛି। ପରିସ୍ଥିତିକୁ ସ୍ଵାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଫଳରେ ପ୍ରଥମାର୍ଦ୍ଧରେ ଗୃହ ମାତ୍ର ୫ ମିନିଟ ଚାଲିବା ପରେ ଗୃହକାର୍ଯ୍ୟ ଅପରାହ୍ନ ସାଢେ଼ ୪ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ। ଏଏସଓ ରାଜ୍ୟପାଳ ପୁଅଙ୍କ ମାଡ଼ ଘଟଣାରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେହିପରି ଘଟଣାରେ ମୁଖ୍ୟମନ୍ତ୍ରୀ ବିବୃତି ରଖୁନାହାନ୍ତି। ଆଇନ ତା’ ବାଟରେ ଯାଉନାହିଁ। ତେଣୁ ଆମେ ରାଜ୍ୟପାଳଙ୍କ ଅଭିଭାଷଣକୁ ବୟକଟ କରୁଛୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଏହାପରେ ବିଜେଡି କକ୍ଷତ୍ୟାଗ କରିଥିଲା।

ସେହିପରି କଂଗ୍ରେସ କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଉଥିବା ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ପ୍ରବଳ ନାରାବାଜି କରିଥିଲା। ଫଳରେ ବାଚସ୍ପତି ୧୦ ଟା ୩୪ରୁ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ। ସାଢେ଼ ୧୧ଟା ବେଳେ ଗୃହରେ ସମାନ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ମାତ୍ର ବୈଠକ ଆଲୋଚନା କୌଣସି ସୁଫଳ ନବାହାରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିବା ସତ୍ତ୍ୱେ ନିଷ୍କର୍ସ ବାହାରିନଥିବାରୁ ଗୃହ ମୁଲତବି ରଖା ଯାଇଛି।

Leave A Reply

Your email address will not be published.