Odisha Link
Bridging the Missing Links in Odisha

ମହିଳା ଏସିଆ କପ୍‌ ସେମିଫାଇନାଲରେ ଭାରତ, ଚର୍ଚ୍ଚାରେ ‘ଲେଡି ସେହଓ୍ବାଗ’

ଓଏଲ୍‌ ବ୍ୟୁରୋ: ମହିଳା ଏସିଆ କପ୍‌ ୨୦୨୪ର ୧୦ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ନେପାଳ। ଦାମ୍ବୁଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ନେପାଳକୁ ୮୨ ରନ୍‌ରେ ପରାସ୍ତ କରି ଏସିଆ କପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚର ସୁପରଷ୍ଟାର ଥିଲେ ‘ଲେଡି ସେହଓ୍ବାଗ’ ଶେଫାଳି ବର୍ମା। ମାତ୍ର ୪୮ଟି ବଲରେ ଧୂଆଁଦାର ୮୧ ରନର ଇନିଂସ ଖେଳି ଭାରତୀୟ ଦଳକୁ ବିଜୟୀ କରାଇବାରେ ସୁତ୍ରଧାର ସାଜିଥିଲେ।

ଦମଦାର ଫର୍ମରେ ଥିବା ଶେଫାଳି ବର୍ମା ଇନିଂସ୍‌ ଆରମ୍ଭରୁ ନେପାଳ ବୋଲରଙ୍କୁ ପ୍ରାହାର କରିଥିଲେ। ୪୮ଟି ବଲ୍‌ ଖେଳି ୧୬୮.୭୫ ଷ୍ଟ୍ରାଇକ୍‌ ରେଟରେ ୮୧ ରନର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ ଶେଫାଳି। ସେ ଏହି ଇନିଂସରେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେ କେବଳ ୧୩ଟି ଛକା-ଚୌକା ବଳରେ ୫୪ ରନ୍‌ ସ୍କୋର କରିଛନ୍ତି।

ଭାରତୀୟ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ନେପାଳ। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୧୭୮ ରନ୍‌ ସ୍କୋର କରିଥିଳା। ଶେଫାଳିଙ୍କ ୮୧, ହେମଲତାଙ୍କ ୪୭ ରନ୍‌ ସ୍କୋର ବଳରେ ଦଳ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ସେହିପରି ଇନିଂସ ଶେଷକୁ ଜେମିମାଙ୍କ ଧୂଆଁଦାର ୨୮ ରନ୍‌ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲା।

ନେପାଳ ଆଗରେ ଭାରତୀୟ ଦଳ ୧୭୯ ରନର ଟାର୍ଗେଟ ଦେଇଥିଲା। ଏହାକୁ ପିଛା କରି ନେପାଳ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ମୋଟ ୯୬ ରନ୍‌ ସ୍କୋର କରିଥିଲା। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ନେପାଳ। ଭାରତୀୟ ଦଳ ନେପାଳକୁ ୮୨ ରନରେ ହରାଇ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି।

Leave A Reply

Your email address will not be published.