ରାଜ୍ୟରେ କେତେ ସେବା ସମବାୟ ସମିତି ସଚଳ ଅଛି? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।
ଏସବୁ ଭିତରେ ପ୍ରଶ୍ନକାଳରେ ଅଶ୍ୱିନୀ କୁମାର ପାତ୍ର ସମବାୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ କେତେ ସେବା ସମବାୟ ଅଛି ଏହାର ସଠିକ ସଂଖ୍ୟା ଉପସ୍ଥାପନା କରିବେ କି, ଏହି ସମିତି ଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ସରକାରଙ୍କର ଦୀର୍ଘ ମିଆଦୀ ଓ ସ୍ୱଳ୍ପ ମିଆଦୀ ଯୋଜନା କ’ଣ, ଆର୍ଥିକ ସ୍ୱଚ୍ଛଳତା ଦୃଷ୍ଟିରୁ କେତେ ସମିତି ସଚଳ ଅଛି ଏବଂ ଏହାକୁ ସବଳ କରିବାକୁ ସରକାରଙ୍କର ବ୍ୟବସ୍ଥା କ’ଣ?
ପ୍ରଶ୍ନକାଳରେ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ ମୋଟ ୨୬୧୧ ଗୋଟି ପ୍ରାଥମିକ କୃଷିରୁଣ ସମବାୟ ସମିତି ଥିବାବେଳେ, ବର୍ଷ ୨୦୨୩ ଓ ୨୦୨୪ରେ ୧୫୪୧ ଗୋଟି ନୂତନ PACS /LAMPCS ଗଠନ କରାଯାଇଛି। ତାହାର ଏକ ଜିଲ୍ଲାୱାରୀ ତାଲିକା ପରିଶିଷ୍ଟ ”କ” ରେ ସଂଲଗ୍ନ କରାଗଲା। ଏହି ସମିତି ଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ସମ୍ପୃକ୍ତ ସମିତିର ଉପବିଧିରେ ସଂଶୋଧନ କରାଯାଉ। ଏଗୁଡ଼ିକୁ ବହୁମୁଖୀ ପ୍ରାଥମିକ ସେବା ସମବାୟ ସମିତିରେ ପରିଣତ କରାଯାଇଛି। ଏହା ଦ୍ୱାରା ସମିତି ଗୁଡିକ କୃଷିରୁଣ ବ୍ୟତୀତ ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ ପ୍ରବେଶ କରି ଅଧିକ ସ୍ୱଚ୍ଛଳ ହୋଇ ପାରିବ ବୋଲି ସେ କହିଛନ୍ତି।