କେବେଠୁ ଲାଗୁ ହେବ ଧାନର ବର୍ଦ୍ଧିତ ମୂଲ୍ୟ? ଜାଣନ୍ତୁ କ’ଣ କହିଲେ ଖାଉଟି କଲ୍ୟାଣ ମନ୍ତ୍ରୀ
![](https://www.odishalink.com/wp-content/uploads/2024/07/KRUSHNAA-e1721806827718.jpg)
ଓଏଲ୍ ବ୍ୟୁରୋ: ଜୁଲାଇ ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।
ଏସବୁ ଭିତରେ ପ୍ରଶ୍ନକାଳରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିବେ କି, ଆମ ରାଜ୍ୟରେ ଧାନର ଦର କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି କି? ଯଦି ହଁ, ତେବେ ଏହି ବର୍ଦ୍ଧିତ ଦରରେ ଚାଷୀଙ୍କ ଠାରୁ କେବେ ଧାନ କ୍ରୟ କରାଯିବ ଓ ଏଠି ନିମନ୍ତେ ରାଜ୍ୟ ବଜେଟ ଉପରେ ଏହାର କି ପ୍ରଭାବ ପଡିବ?
କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନରେ ଉତ୍ତର ରଖିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଜୁନ ୧୨ ୨୦୨୪ ତାରିଖରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକ ଅନୁଯାୟୀ ରାଜ୍ୟରେ କୃଷକ ନୀତି ଲାଗୁ କରାଯିବ। ଏହି ନୀତି ଅନୁଯାୟୀ ଚାଷୀମାନଙ୍କ ଠାରୁ ପ୍ରତି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଖରିଫ ଓ ରବି ଧାନ କରେ କରାଯିବାର ପ୍ରାବଧାନ ରହିଛି। ଏହାର ବିସ୍ତୃତ ନିର୍ଦ୍ଦେଶାବଳୀ ଓ ରୂପରେଖ ପ୍ରସ୍ତୁତ କରିବା ନିମନ୍ତେ କୃଷି ଓ କୃଷକର ସଶକ୍ତିକରଣ ବିଭାଗକୁ ଆବଶ୍ୟକୀୟ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୋଲି କହିଛନ୍ତି।