Odisha Link
Bridging the Missing Links in Odisha

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ଭାରତ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଆୟ କମ୍

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ୨୦୨୪। ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଅଗ୍ରୀମ ଆକଳନ ଅନୁସାରେ, ୨୦୨୩-୨୪ରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ୮.୫% ଛୁଇଁବ ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାର ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ସେହିପରି ଓଡ଼ିଶାର ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି। ଯାହା ଭାରତର ମୁଣ୍ଡପିଛା ଆୟଠାରୁ ୧୨.୪ ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧.୨୧ ପ୍ରତିଶତ ସିଏଜିଆର୍‌ରେ ବୃଦ୍ଧି ପାଇଥିବା ବେଳେ ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି। ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି। ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।

ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ପୂର୍ବ ସରକାରଙ୍କ ଯୋଜନା, ନୀତି, ନୀତିକୁ ପ୍ରଣୟନ କରିବାର ଦକ୍ଷତା ଯୋଗୁଁ ଓଡ଼ିଶାର ଅଭିବୃଦ୍ଧି ଘଟିଛି। ଆମେ ବିଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କାମ କରିଛୁ।

Leave A Reply

Your email address will not be published.