ଟମାଟୋ ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି
ଓଏଲ୍ ବ୍ୟୁରୋ: ପରିବା ଦର ଉପର ମୁହାଁ ଶ୍ରାବଣ ମାସରେ ଚିନ୍ତା ବଢ଼ାଇଛି ପରିବା ଦର। ପରିବା ବଜାରରେ ଟମାଟୋ ଦର ଆକାଶ ଛୁଆଁ ରହିଥିବା ବେଳେ ଅନ୍ୟ ପରିବା ଦର ମଧ୍ୟ ବୃଦ୍ଧି ପାଇଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ରୋଷେଇ ଘରେ ଦେଖିବାକୁ ମିିଳିଛି।
ବଜାରରେ ଟମାଟୋ ଦର ୧୦୦ ଟଙ୍କା ଅତିକ୍ରମ କରିଥିବାରୁ ଟମାଟୋ କିଣିବାକୁ ସାଧାରଣ ଖାଉଟି ସାହାସ କରି ପାରୁନାହାନ୍ତି। ରାଜଧାନୀ ଭୁବନେଶ୍ବରର ଏକ ନମ୍ବର ପରିବା ହାଟରେ ଟମାଟୋ ଦର ୧୦୦ ଟପିଥିବା ବେଳେ ଅନ୍ୟ ପ୍ରମୁଖ ସହରରେ ଦର ୮୦-୯୦ ଟଙ୍କା ରହିଛି।
ଟମାଟୋ ଦର ବୃଦ୍ଧି ପ୍ରସଙ୍ଗରେ ବ୍ୟବସାୟୀ ମାନେ କହିଛନ୍ତି ଯେ ଗୋଦାମକୁ ଟମାଟୋ ଆସିପାରୁନଥିବାରୁ ଏଭଳି ସ୍ଥିତି ଉପୁଜୁଛି। ଟମାଟୋ ପାଇଁ ମୁଖ୍ୟତଃ ବେଙ୍ଗାଲୁରୁ ଉପରେ ନିର୍ଭରଶୀଳ ହୋଇଥାଏ ଓଡ଼ିଶା। ବେଙ୍ଗାଲୁରୁରେ ଟମାଟୋ ଦର କେଜି ପ୍ରତି ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ୧,୮୦୦ କିଲୋମିଟର ବାଟ ଅତିକ୍ରମ କରି ଓଡ଼ିଶା ଆସିବା ବେଳକୁ ତାର ଦର ୨୫୦ରୁ ୩୦୦ ଟଙ୍କା ହୋଇଯିବ। ଏତେ ଟଙ୍କାରେ ରାଜଧାନୀ ଗ୍ରାହକ ଟମାଟୋ କିଣିବେ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ।