ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କର ୩୪ ପ୍ଲଟ୍ ଠାବ, ସରୁନି ଅମାପ ସଂପତିର ତାଲିକା
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିରରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ଚଢ଼ାଉ ସମୟରେ ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ବରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ ହୋଇଛି। ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ୨ଟି ଟ୍ରକ୍, ୨ଟି ଚାରିଚକିଆ ଯାନ, ୪ ବାଇକ୍ ସମେତ ୧୭୬ ଗ୍ରାମ ସୁନା, ୨ ଲକ୍ଷ ୩୪ ହଜାର ଟଙ୍କା ଏଯାବତ ମିଳିଥିବା ସୂଚନା ରହିଛି। ଏବେ ବି ଚଢ଼ାଉ ଜାରି ରହିଛି।