Odisha Link
Bridging the Missing Links in Odisha

ଓଡ଼ିଶାରେ ମାଧ୍ୟମିକ ଶିକ୍ଷାରେ ପାଠପଢ଼ା ଛାଡ଼ିବା ହାର ସର୍ବାଧିକ, ରାଜ୍ୟରେ ୯ ଲକ୍ଷ ବେକାର

ଓଏଲ୍‌ ବ୍ୟୁରୋ: ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି ଓଡ଼ିଶା ସରକାର। ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ୮.୫ ପ୍ରତିଶତ ଆକଳନ କରାଯାଇଛି। ସେହିପରି ରାଜ୍ୟ ଜିଡିପି ପରିମାଣ ୮.୩ ଲକ୍ଷ କୋଟି ଟଙ୍କା ରହିଛି।

ସବୁଠୁ ବଡ଼କଥା ହେଲା ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଓଡ଼ିଶାରେ ମୋଟ ନାମଲେଖା ଅନୁପାତ ଯଥାକ୍ରମରେ ୯୧.୩,୮୦.୪ ଏବଂ ୪୩.୬ ପ୍ରତିଶତ ରହିଛି। ଓଡ଼ିଶାରେ ମୋଟ ନାମ ଲେଖା ଅନୁପାତ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସର୍ବଭାରତୀୟ ହାରାହାରି ଠାରୁ କମ୍‌ ରହିଛି।

ସେହିପରି ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ରିଟେନସନ୍‌ ହାରରେ ଉନ୍ନତି ଘଟିଛି। ୨୦୧୪-୧୫ ରୁ ୨୦୨୧-୨୨ ମଧ୍ୟରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାର ୨୨.୨ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶା ଏବେ ବି ମାଧ୍ୟମିକ ସ୍ତରର ପାଠ ଛାଡ଼ିବା ହାରରେ ୨୭.୨୯ ପ୍ରତିଶତ ସହିତ ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିଅଛି।

ସେହିପରି ରାଜ୍ୟରେ ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩.୫୧ କୋଟି ରହିଛି। ସେଥିରୁ ଶ୍ରମଶକ୍ତିରେ ୨.୧୪ କୋଟି ଲୋକ ରହିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କ ସଂଖ୍ୟା ୨.୦୫ କୋଟି ଥିବା ବେଳେ ୯ ଲକ୍ଷ ପିଲା ବେକାର ରହିଛନ୍ତି। ୧.୩୧ କୋଟି ଲୋକ ସ୍ବାବଲମ୍ବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୭୩.୭ ଲକ୍ଷ ଲୋକ ମଜୁରୀଭିତ୍ତିକ ଶ୍ରମିକ ଭାବେ କାମ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

Leave A Reply

Your email address will not be published.