Odisha Link
Bridging the Missing Links in Odisha

ଗୃହରେ ପୋଲାଭରମ ତାତି, ବାଚସ୍ପତିଙ୍କ ମାଇକ ଟାଣିଲେ ତାରା ବାହିନୀ ପତି

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ୩ ଦିନ ପରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ ପୁଣି ହଂଗାମା ଦେଖିବାକୁ ମିଳିଛି। ପ୍ରବଳ ହଟ୍ଟଗୋଳ କାରଣରୁ ୧୫ ମିନିଟ ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରଖିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ବାଚସ୍ପତିଙ୍କ ମାଇକ ଟାଣି ଆଣିଥିଲେ। ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ।

ସୂଚନା ଅନୁସାରେ, କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପୋଲାଭରମ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ସଂପର୍କରେ ଘୋଷଣା ବେଳେ ଓଡିଶା ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇନି। କେନ୍ଦ୍ରର ଏଭଳି ଘୋଷଣା ଓଡ଼ିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ। କେନ୍ଦ୍ର ସରକାର ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓଡିଶା ସ୍ବାର୍ଥକୁ ମାରି ଦେଉଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟ-ରାଜ୍ୟ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେପଟେ ପୋଲାଭରମ୍‌ ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡ଼ିଯିବ। ବିଶେଷ ଭାବେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବ। ଏବେ କେନ୍ଦ୍ରରେ. ଓଡ଼ିଶାରେ ଓ ଆନ୍ଧ୍ରପ୍ରଦେଶରେ ତାଙ୍କର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର, ରାଜ୍ୟ ସହ ଆନ୍ଧ୍ରରେ ବି ବିଜେପି ଓ ଏନଡିଏ ସହଯୋଗୀଙ୍କ ସରକାର ଥିବା ବେଳେ ଓଡ଼ିଶାକୁ ଅଣଦେଖା ଦୁର୍ଭାଗ୍ୟଜନକ ବୋଲି ସୋଫିଆ କହିଛନ୍ତି।

ଅନ୍ୟପଟେ, ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ୨୦୨୪। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ଗୁରୁବାର) ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ଏହା ମୋହନ ସରକାରର ପ୍ରଥମ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।

Leave A Reply

Your email address will not be published.