Odisha Link
Bridging the Missing Links in Odisha

ଖଣି ଜମି ଉପରୁ ରୟାଲ୍ଟି ଆଦାୟ ଟ୍ୟାକ୍ସ ନୁହେଁ: ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟ ଖଣିଜ ଟ୍ୟାକ୍ସକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଲାଗି ରହିଥିବା ମତଭେଦକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ କହିଛନ୍ତି, ଖଣିଜ ଜମି ଉପରେ ରୟାଲ୍ଟି କୁ ଟ୍ୟାକ୍ସ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଅଦାଲତର ସମ୍ବିଧାନତ ବେଞ୍ଚ ୮:୧ରେ ବହୁମତ ଜରିଆରେ ଶୁଣାଯାଇଥିବା ନିଷ୍ପତ୍ତିରେ କୁହାଯାଇଛି ଯେ ସଂସଦ ପାଖରେ ସମ୍ବିଧାନ ପ୍ରାବଧାନର ବ୍ୟବହାର କରି ଖଣିଜ ଅଧିକାର ଉପରେ ଟ୍ୟାକ୍ସ ଲଗାଇବାର ଶକ୍ତି ନାହିଁ।

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ୯ ଜଣିଆ ଖଣ୍ଡ ପୀଠ ଏହି ମାମଲା ଉପରେ ରାୟ ପ୍ରଦାନ କରିଥିଲେ। ୮ ଜଣ ବିଚାରପତି ରୟାଲ୍ଟି ଆଦାୟ ସପକ୍ଷରେ ଯାଇ ଥିବାବେଳେ ଜଷ୍ଟିସ ବିଭି ନାଗାରତ୍ନ ବିପକ୍ଷରେ ମତ ଦେଇଥିଲେ।

ସପକ୍ଷରେ ଥିବା ୮ ଜଣ ବିଚାରପତି କହିଛନ୍ତି, ରୟାଲ୍ଟି ଆଦାୟ ଟ୍ୟାକ୍ସ ସହ ସମାନ ନୁହେଁ।ଖଣିଜ ସମ୍ପଦ ଥିବା ଜମି ଉପରେ ଟ୍ୟାକ୍ସ ଲଗାଇବାର ଅଧିକାର ରାଜ୍ୟ ପାଖରେ ଅଛି। ରାଜ୍ୟ ସରକାର ଖଣି କମ୍ପାନୀଗୁଡ଼ିକରୁ ଅତିରିକ୍ତ ରୟାଲ୍ଟି ଆଦାୟ କରିପାରିବେ। ସେହିପରି ଜଷ୍ଟିସ ବିଭି ନାଗାରତ୍ନ କହିଛନ୍ତି, ରାଜ୍ୟମାନଙ୍କୁ ଖଣି ଜମି ଉପରେ ଅତିରିକ୍ତ କର ଆଦାୟ କରିବାକୁ ଅନୁମତି ଦେବା ଦ୍ୱାରା ରାଜସ୍ୱ ଆଦାୟ ଉଦ୍ଦେଶ୍ୟରେ ରାଜ୍ୟ ମଧ୍ୟରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ହୋଇପାରେ। ଜାତୀୟ ବଜାରକୁ ଶୋଷଣ କରା ଯାଇପାରେ। ଖଣିଜ ବିକାଶ ଉଦ୍ଦେଶ୍ୟରେ ଏହା ସଙ୍ଘୀୟ ବ୍ୟବସ୍ଥାକୁ ମଧ୍ୟ ଉଲ୍ଲଙ୍ଘନ କରିପାରେ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଖଣିଜ ସମ୍ପଦଭରା ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିବଙ୍ଗ, ଛତିଶଗଡ଼, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଫାଇଦା ପାଇପାରିବେ। ଏଣିକି ଏହି ସବୁ ରାଜ୍ୟଗୁଡିକ ଖଣି ଜମି ଉପରେ ମାଇନିଂ କମ୍ପାନୀଗୁଡିକରୁ ଅତିରିକ୍ତ କର ଆଦାୟ କରିପାରିବେ।

Leave A Reply

Your email address will not be published.