Odisha Link
Bridging the Missing Links in Odisha

ହଟିଲା ନିଲମ୍ବନ, କାର୍ଯ୍ୟରେ ଯୋଗ ଦେବେ ଚର୍ଚ୍ଚିତ ଓଏଏସ୍ ଦେବ ପ୍ରସାଦ ଦାଶ

ଓଏଲ୍‌ ବ୍ୟୁରୋ: ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କ ନିଲମ୍ବନକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ୨୦୧୮ ମସିହାରେ ପୂର୍ବତନ ସରକାର ତାଙ୍କୁ ନିଲମ୍ବନ କରିଥିଲେ। ସେହି ସମୟରେ ତାଙ୍କୁ ୪ ଥର ବଦଳି କରିବା ପରେ ଶେଷରେ ନିଲମ୍ବନ କରାଯାଇଥିଲା। ଏହା ପରେ ପୂର୍ବତନ ସରକାରଙ୍କୁ ଇଙ୍ଗିତ କରି ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ତାଙ୍କ ନିଲମ୍ବନକୁ ହଟାଇ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ଦିଆଯାଇଛି।

ସୂଚନା ଅନୁସାରେ, ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶ ୨୦୧୫ ମସିହାରେ ଚର୍ଚ୍ଚାକୁ ଆସିଥିଲେ। ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଥିବା ବେଳେ ୨୦୧୫ ମାର୍ଚ୍ଚ ୭ ତାରିଖରେ ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିଥିଲେ। ମଠ ଭାଙ୍ଗିବାର ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇ ଆସିଥିବା ଏହି ଅଧିକାରୀଙ୍କୁ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠଭାଙ୍ଗିବା ପୂର୍ବରୁ ବେଆଇନ ନିର୍ମାଣ ନେଇ ସେ ଜାରି କରିଥିବା ୮୬ଟି ସଂସ୍ଥା ଭିତରେ ଥିଲା କିଟ ଓ କିସ।

ଶେଷରେ କିନ୍ତୁ ବଦଳି ନୁହେଁ ସିଧା ନିଲମ୍ବନ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିରଣ ବିଭାଗରେ ଯୁଗ୍ମ ସଚିବ ସହ ନିର୍ଦ୍ଦେଶ ଦାୟିତ୍ୱ ବି ତୁଲାଉ ଥିଲେ ଦେବ। ହଠାତ କୌଣସି କାରଣ ନ ଦର୍ଶାଇ ତାଙ୍କୁ ନିଲମ୍ବନ କରିଥିଲେ ସରକାର। ତେବେ ଏହି ନିଲମ୍ବନ ପଛର କାରଣକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା ଦେବପ୍ରସାଦ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା କରୁଥିବାରୁ ଏଥିପାଇଁ ତାଙ୍କୁ ବହୁମୁଲ୍ୟ ଦେବାକୁ ପଡିଛି। ଦେବ ନିଜେ ଏଥିପାଇଁ ସରକାରଙ୍କୁ ଅସହିଷ୍ଣୁତା ଓ ଅଣଓଡିଆ ଅଫିସରଙ୍କ ପ୍ରାଦୁର୍ଭାବକୁ ଦାୟୀ କରିଥିଲେ।

Leave A Reply

Your email address will not be published.