Odisha Link
Bridging the Missing Links in Odisha

ରାଜ୍ୟରେ ଲାଗୁ ହେବ “ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା”, ତାହା କ’ଣ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରୁଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି।

ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରିଛନ୍ତି ସରକାର ବୋଲି ଅର୍ଥମନ୍ତ୍ରୀ ଗୃହରେ ମନ୍ତବ୍ୟ ରଖିଛନ୍ତି। ସେହିପରି ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରକୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କ୍ୟାସ୍‌ଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମୋହନ ମାଝୀ ଗୃହରେ କହିଛନ୍ତି। ଏଥିସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ।

ସେହିପରି ସମସ୍ତଙ୍କୁ ମାଗଣାରେ ସାର୍ବଜନୀନ ବ୍ୟାପକ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ ” ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା”ର ଶୁଭାରମ୍ଭ କରାଯାଇଥିବା ଅର୍ଥମନ୍ତ୍ରୀ ବଜେଟ୍‌ ଅଭିଭାଷଣରେ କହିଛନ୍ତି। ଏହି ଯୋଜନା ବାବଦକୁ ୪୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏହି ଯୋଜନା ମାଧ୍ୟମରେ ମୋତିଆ ବିନ୍ଦୁ, ଗ୍ଲକୋମା ଓ କର୍ଣ୍ଣିଆର ଅସୁସ୍ଥତା କ୍ଷେତ୍ରରେ ଅସ୍ତ୍ରୋପଚାର ଓ ମାଗଣା ଚଷମା ବଣ୍ଟନପରି ଉପଯୁକ୍ତ ହସ୍ତକ୍ଷେପ ପାଇଁ ବିଭିନ୍ନ ବୟସ ବର୍ଗର ଚକ୍ଷୁ ପରୀକ୍ଷା କରାଯିବ।

Leave A Reply

Your email address will not be published.