Odisha Link
Bridging the Missing Links in Odisha

ରାଜ୍ୟର ୩ ଜିଲ୍ଲାରେ କେବେ ଚାଲିବ ସୋଲାର ବୋରୱେଲ ପମ୍ପ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ୩ ଦିନ ପରେ ସ୍ୱାଭାବିକ ହୋଇଛି ପ୍ରଶ୍ନକାଳ। ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ୨୦୨୪। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ଗୁରୁବାର) ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଗତ ୩ ଦିନ ହେବ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ ଅଚଳ ହୋଇପଡ଼ିଥିଲା। ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବାବେଳେ ବିଭିନ୍ନ ବିଭାଗ ନେଇ ବିଧାୟକମାନେ ପ୍ରଶ୍ନ ପଚାରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି ଯେ, ୨୦୨୧-୨୨ରେ ପାହାଡିଆ ଓ ଅଣ ବିଦ୍ୟୁତ୍ ଅଞ୍ଚଳକୁ ଦୃଷ୍ଟିରେ ରଖି ୨୭ ଜିଲ୍ଲାରେ ସୌର ଚଳିତ ବୋରୱେଲ ପମ୍ପ ବ୍ୟବସ୍ଥା କରାଯାଇଛି। କେବଳ ଭଦ୍ରକ, ପୁରୀ ଓ କେନ୍ଦ୍ରାପଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନି। ସୌର ଚଳିତ ବୋରୱେଲ ପମ୍ପ ପାଇଁ ୨୦୨୨-୨୩ରେ ୩୦ ଦିନ ପାଇଁ ଅନଲାଇନ ଆବେଦନ ପାଇଁ ଆହ୍ୱାନ ଦିଆଯାଇଥିଲା।

ସେହିପରି ୨୦୨୩-୨୪ ରେ ୭୨ ହଜାର ୧୮ ଚାଷୀ ସୌର ଚଳିତ ବୋରୱେଲ ପମ୍ପ ପାଇଁ ଆବେଦନ କରିଛନ୍ତି। ଓରେଡା ମାଧ୍ୟମରେ ପିଏମ୍ କୁସୁମ-ସି ଯୋଜନା ଜରିଆରେ ତିନୋଟି ପର୍ଯ୍ୟାୟରେ କମ୍ପାନୀ ତାଲିକାଭୁକ୍ତ ହୋଇଛି। ଓରେଡାର କାର୍ଯ୍ୟକାରିତା ନେଇ ଯେଉଁ ଅସନ୍ତୋଷ ଦେଖା ଦେଇଛି, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଯତ୍ନବାନ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେପଟେ ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ଏହା ମୋହନ ସରକାରର ପ୍ରଥମ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।

Leave A Reply

Your email address will not be published.