Odisha Link
Bridging the Missing Links in Odisha

ବିଧାନସଭାରେ ମୁଲତବି ପ୍ରସ୍ତାବ ଖାରଜ, ଅପରାହ୍ନ ଯାଏଁ ଗୃହ ମୁଲତବି

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନ। କ୍ରମାଗତ ୪ ଦିନ ପରେ ଆଜି ବିଧାନସଭାରେ ଗୃହକାର୍ଯ୍ୟ ସୁରୁଖୁରୁ ଭାବେ ଚାଲିଥିଲା। ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୁନ୍ୟକଳ ଏବଂ ମୁଲତବୀ ଆଲୋଚନା ସମାପ୍ତ ହେବା ପରେ ଉପ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି।

ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳରେ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ ଆଦି ବିଭାଗ ସହ ସମ୍ପର୍କିତ ତାରକା ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ଗୃହରେ ରଖିଥିଲେ। ସେହିପରି ଶୂନ୍ୟକାଳରେ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉତ୍ଥାପନ ହୋଇଥିଲା। ଏହାପରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ। ଚଳିତ ରଥଯାତ୍ରା ମହାବିଭ୍ରାଟ ଏବଂ ସରକାର ନିରବଦ୍ରଷ୍ଟା ସମ୍ପର୍କିତ ମୁଲତବି ପ୍ରସ୍ତାବ ଆଲୋଚନାରେ ରଥଯାତ୍ରା ଆୟୋଜନରେ ବିଭ୍ରାଟ ପାଇଁ ବିରୋଧୀ ସରକାରଙ୍କୁ ଦାୟୀ କରିଥିଲେ।

ତେବେ ବିରୋଧୀଙ୍କ ଅଭିଯୋଗକୁ ଅମୂଳକ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚଳିତ ବର୍ଷର ରଥଯାତ୍ରା ଅତ୍ୟନ୍ତ ବିରଳ ଥିଲା। ଗୋଟିଏ ଦିନରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ଶ୍ରୀ ଗୁଣ୍ଡିଚା ଯାତ୍ରା ପଡୁଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଏହା ଆହ୍ବାନ ଥିଲା। ଏହାକୁ ନଜରରେ ରଖି ରାଜ୍ୟ ସରକାର ମନ୍ଦିର ପ୍ରଶାସନ ଏବଂ ସେବାୟତ ନିଯୋଗ ମାନଙ୍କ ସହ ଆଲୋଚନା କରି ନୀତିନିର୍ଘଣ୍ଟ ଠାରୁ ଆରମ୍ଭ ସମସ୍ତ କାର୍ଯ୍ୟର ପ୍ରସ୍ତୁତି ଆରମ୍ଭ କରିଥିଲେ। ସମସ୍ତଙ୍କର ସହଯୋଗ ଏବଂ ମହାପ୍ରଭୁଙ୍କର ଅପାର କରୁଣା ଯୋଗୁଁ ଅତ୍ୟନ୍ତ ଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ନେଇ ଆଇନ ମନ୍ତ୍ରୀ ଉତ୍ତର ରଖିଥିଲେ। ଉପ ବାଚସ୍ପତି ଆଗତ ମୁଲତବି ପ୍ରସ୍ତାବକୁ ଖାରଜ କରିବା ସହ ଗୃହକୁ ଅପରାହ୍ନ ଯାଏଁ ମୁଲତବୀ ରଖିଛନ୍ତି।

Leave A Reply

Your email address will not be published.