Odisha Link
Bridging the Missing Links in Odisha

ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ ଗିରଫ

ଓଏଲ୍‌ ବ୍ୟୁରୋ: ବନ୍ଦା ହେଲେ କଳା ଟଙ୍କାର କୁବେର ସୁନିଲ ରାଉତ। ଭିଜିଲାନ୍ସ ଜାଲରେ ପଡ଼ିଥିବା ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତଙ୍କଠୁ ବିପୁଳ ସମ୍ପତ୍ତି ଠାବ କରାଯିବାପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆଖି ଖୋସା ସଂପତ୍ତି ଠାବ ପରେ ବନ୍ଦା ହେଲେ କୁବେର ଯନ୍ତ୍ରୀ। ଗତକାଲି ୩୪ଟି ପ୍ଲଟ, ୨ଟି କୋଠା, ୨ଟି ଫ୍ଲାଟ, ବିପୁଳ ଅଳଙ୍କାର ଠାବ ହୋଇଥିଲା। ଆଜି ମଥୁରାରେ ମଧ୍ୟ ଏକ ଫ୍ଲାଟ ଠାବ କରିଥିଲା ଭିଜିଲାନ୍ସ ଟିମ୍। ସୂଚନାଥାଉକି, ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ନୀଳାଦ୍ରି ବିହାରରେ ଯନ୍ତ୍ରୀ ସୁନିଲ କୁମାର ରାଉତଙ୍କର ଗୋଟିଏ ୩ ମହଲା କୋଠା ଅଛି। ସେହିଭଳି ଭୁବନେଶ୍ୱରର ନୟାପଲ୍ଲୀର ନୀଳକଣ୍ଠ ନଗରରେ ତାଙ୍କର ଏକ ୨ ମହଲା କୋଠା ରହିଛି। ପୁରୀର ଦୋଳମଣ୍ଡପସାହି ସ୍ଥିତ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ତାଙ୍କର ଏକ ୨ ବିଏଚ୍‌କେ ଫ୍ଲାଟ ଅଛି। ପୁରୀର ଭିଆଇପି ରୋଡ୍‌ ସ୍ଥିତ କୃଷ୍ଣଧାମ ଆପାର୍ଟମେଣ୍ଟରେ ତାଙ୍କର ଗୋଟିଏ ୧ ବିଏଚ୍‌କେ ଫ୍ଲାଟ୍ ଅଛି।

ଭୁବନେଶ୍ୱର, ପୁରୀ, କଟକ ଓ ଢେଙ୍କାନାଳରେ ଯନ୍ତ୍ରୀ ସୁନିଲ କୁମାର ରାଉତଙ୍କର ୩୪ଟି ପ୍ଲଟ୍ ଅଛି। ଏହି ସମସ୍ତ ଘର ଓ ପ୍ଲଟ୍‌ଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସ। ଯନ୍ତ୍ରୀ ସୁନିଲ କୁମାର ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲିଠୁ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସମେତ ପୁରୀ,ଅନୁଗୋଳ, କଟକ ଓ ବଲାଙ୍ଗିରର ମୋଟ ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ୨ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୬ ଜଣ ଇନ୍‌ସପେକ୍ଟର, ୧୦ ଜଣ ଏଏସ୍‌ଆଇଙ୍କ ସହିତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢ଼ାଉ ଜାରି ରହିଥିଲା।

Leave A Reply

Your email address will not be published.