ସରୁନି ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସଂପତିର ତାଲିକା, ମଥୁରାରେ ଠାବ ହେଲା ୨ଟି ପ୍ଲଟ୍

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିରରେ ଚଢ଼ାଉ ଜାରି ରହିଛି।
ସୂଚନା ଅନୁସାରେ, ଗତକାଲି ଭିଜିଲାନ୍ସ ଚଢ଼ାଉ ସମୟରେ ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ବରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ ହୋଇଛି। ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ୩୪ଟି ପ୍ଲଟ୍ ଠାବ କରିରାଯାଇଥିବାବେଳେ ଆଜି ଆଉ ୨ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ।
ଉତ୍ତରପ୍ରଦେଶର ମଥୁରାରେ ଯନ୍ତ୍ରୀଙ୍କ ୨ଟି ପ୍ଲଟ୍ ଠାବ ସମେତ ୨କୋଟି ୨୬ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଢେଙ୍କାନାଳରେ ଏକ ଫାର୍ମ ହାଉସ ମଧ୍ୟ ଠାବ କିରିଛି ଭିଜିଲାନ୍ସ। ୨ଟି ଟ୍ରକ୍, ୨ଟି ଚାରିଚକିଆ ଯାନ, ୪ ବାଇକ୍ ସମେତ ୧୭୬ ଗ୍ରାମ ସୁନା ଏଯାବତ ମିଳିଥିବା ସୂଚନା ରହିଛି। ଏବେ ବି ଚଢ଼ାଉ ଜାରି ରହିଛି। ୩ ବର୍ଷ ହେବ ସୁନିଲ ରାଉତ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଛନ୍ତି।