ମହିଳା ଏସିଆ କପ୍ ୨୦୨୪: ୯ମ ଥର ପାଇଁ ଫାଇନାଲରେ ଟିମ୍ ଇଣ୍ଡିଆ
ଓଏଲ୍ ବ୍ୟୁରୋ: ମହିଳା ଏସିଆ କପ୍ ୨୦୨୪ର ଫାଇନାଲରେ ଟିମ୍ ଇଣ୍ଡିଆ। ଭାରତୀୟ ମହିଳା ଦଳ ଏସିଆ କପ୍ର ପ୍ରଥମ ସେମି ଫାଇନାଲରେ ବାଂଲାଦେଶକୁ ୧୦ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ। ୮ମ ଥର ଏସିଆ କପ୍ ଟ୍ରଫି ହାତେଇବା ପାଇଁ ଭାରତ ଜୁଲାଇ ୨୮ ତାରିଖରେ ଫାଇନାଲ ମୁକାବିଲା ଖେଳିବ। ଦ୍ବିତୀୟ ସେମି ଫାଇନାଲରେ ଶ୍ରୀଲଙ୍କା-ପାକିସ୍ତାନ ମୁହାଁମୁହିଁ ହେବେ। ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ଭାରତ ବିପକ୍ଷରେ ଟ୍ରଫି ପାଇଁ ଖେଳିବ।
ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ଦଳ। ବାଂଲାଦେଶର ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର। ପ୍ରଥମ ଓଭରରେ ହିଁ ଭାରତୀୟ ଦଳର ଇନଫର୍ମ ବୋଲର ରେଣୁକା ସିଂହ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ପରେ ଅନ୍ୟ ବୋଲର ମଧ୍ୟ ବାଂଲାଦେଶ ବ୍ୟାଟସମ୍ୟାନ୍ଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଯାହାଫଳରେ ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ଦଳ ୮ ଓ୍ବିକେଟ ହରାଇ ମାତ୍ର ୮୦ ରନ୍ କରିବାରେ ସଫଳ ହୋଇଥିଲେ। ଏଥିସହିତ ଭାରତ ଆଗରେ ୮୧ ରନର ବିଜୟ ଳକ୍ଷ୍ୟ ରଖିଥିଲା ବାଂଲାଦେଶ ଦଳ। ଭାରତୀୟ ଦଳ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ପୂଜା ଓ ଦିପ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
୮୧ ରନ୍ର ପିଛା କରି ଭାରତୀୟ ଦଳର ଦୁଇ ଇନଫର୍ମ ବ୍ୟାଟସମ୍ୟାନ୍ ସ୍ମିତି ମାନ୍ଧନା ଓ ଶେଫାଳି ବର୍ମା ଇନିଂସ୍ ଓପନ କରିଥିଲେ। ଦୁଇ ଖେଳାଳି ଦଳକୁ ଦମଦାର ଆରମ୍ଭ ଦେବା ସହିତ ଦଳକୁ ସହଜ ବିଜୟ ଦେବାରେ ସହଯୋଗ କରିଥିଲେ। ମାତ୍ର ୧୧ ଓଭରରେ ଭାରତୀୟ ମହିଳା ଦଳ ଟାର୍ଗେଟ ହାସଲ କରିବାରେ ସଫଳ ହୋଇଥିଲେ। ଦଳ ପକ୍ଷରୁ ସ୍ମିତି ମାନ୍ଧନା ୫୫ ରନ୍ କରିଥିବା ବେଳେ ଶେଫାଳି ବର୍ମା ୨୬ ରନ୍ ସ୍କୋର କରିଥିଲେ। ଏଥିସହିତ ୯ମ ଥର ପାଇଁ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ଭାରତ। ଏହାପୂର୍ବରୁ ଭାରତ ୭ଥର ମହିଳା ଏସିଆ କପ୍ ଟ୍ରଫି ହାତେଇ ସାରିଛି।